ସ୍ପେଶାଲ ଟାକ୍ସଫୋର୍ସର ଅତର୍କିତ ଚଢ଼ଉ, ପୂର୍ବତନ କାଉଁନସିଲର ସମେତ ୪ ଜୁଆଡ଼ି ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ପକ୍ଷରୁ ଗଠିତ ଜିଲ୍ଲା ପୁଲିସର ସ୍ପେଶାଲ ଟାସ୍କଫୋର୍ସ ଏକ ଜୁଆ ଆଡ୍ଡାରେ ଅତର୍କିତ ଚଢ଼ଉ କରି ଜଣେ ପୂର୍ବତନ କାଉଁନସିଲରଙ୍କ ସମେତ ୪ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ ଦେବଗଡ଼ ପୌର ପରିଷଦର ପୂର୍ବତନ କାଉଁନସିଲର କୁଳ ଚନ୍ଦ୍ରମା ହସ୍ତୀ (୩୯), ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗ୍ରାମର ତପନ କୁମାର ବେହେରା (୩୫), ଦେବଗଡ଼ ଥାନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ର ରୋହିତ କୁମାର ବେହେରା (୩୦) ଓ ସାମନ୍ତରାପାଲି ଗ୍ରାମର ଦୁଃଖବନ୍ଧୁ ବେହେରା (୫୨)। ଅଭିଯୁକ୍ତଙ୍କଠାରୁ ନଗଦ ୨୩ହାଜର ଟଙ୍କା, ମୋବାଇଲ ଫୋନ ଓ ୪ଟି ବାଇକ ଜବତ କରାଯାଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ ଦେବଗଡ଼-ଅନୁଗୁଳ ୫୩ ନମ୍ବର ଜାତୀୟ ରାଜପଥ ହଦମୁଣ୍ଡା ଘାଟି ରାସ୍ତାକଡ଼ରେ ଥିବା ଝାଡ଼ି ଜଙ୍ଗଲରେ ବେଆଇନ ଜୁଆ ଆଡ୍ଡା ଚାଲିଥିବା ସୂଚନା ମିଳିଥିଲା। ପରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଆଦର୍ଶ ଥାନା ମହିଳା ସବଇନ୍ସପେକ୍ଟର କରୁଣୀ ଶାସନୀ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଗତକାଲି ସନ୍ଧ୍ୟାରେ ସେଠାରେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସକୁ ଦେଖି ଜୁଆଡ଼ିମାନେ ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ସ୍ପେଶାଲ ସ୍କ୍ୱାର୍ଡର ସଦସ୍ୟମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ୪ଜଣ ଜୁଆଡ଼ିଙ୍କୁ ପୁଲିସ କାବୁ କରିଥିବା ବେଳେ ଅନ୍ୟ ୫ରୁ ୬ଜଣ ଖସି ଯାଇଥିଲେ। ତେବେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡି଼ଛି ।