ଲକଡାଉନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର

କର୍ଣ୍ଣାଟକ: ଦେଶରେ ଲକଡାଉନ ଜାରି ରହିଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡୀ କୁମାରସ୍ୱାମୀଙ୍କ ପୁଅ ନିଖିଳ କୁମାରସ୍ୱାମୀଙ୍କ ବିବାହ ସମ୍ପନ୍ନ ହୋଇଛି। ନିଖିଳ କଂଗ୍ରେସ ସରକାରରେ ମନ୍ତ୍ରୀ ରହିଥିବା ଏମ୍ କୃଷ୍ଣପ୍ପାଙ୍କ ଭାଣିଜୀ ରେବତୀଙ୍କୁ ବିବାହ କରିଛନ୍ତି। ବାଙ୍ଗାଲୁରୁର ରାମନଗରରେ ରାଜକୀୟ ଅନ୍ଦାଜରେ ବିବାହ ହୋଇଥିବା ବେଳେ ଏଥିରେ ଶତାଧିକ ଲୋକ ଉପସ୍ଥିତ ଥିଲେ। କିନ୍ତୁ ମିଡିଆର ପ୍ରବେଶକୁ ଅବରୋଧ କରାଯାଇଥିଲା। ପ୍ରକାଶଥାଉ କି, କରୋନାକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ କୌଣସି ବଡ଼ କାର୍ଯ୍ୟକ୍ରମ ଆୟୋଜନକୁ ମଞ୍ଜୁରୀ ମିଳିବନି। କୁମାରସ୍ୱାମୀଙ୍କୁ ଏସମ୍ପର୍କରେ ପଚାରିବାରୁ, ବିବାହକୁ ନେଇ ସମସ୍ତ ପ୍ରକାର ମଞ୍ଜୁରୀ ନିଆଯିବା ସହ ଡାକ୍ତରଙ୍କଠାରୁ ମଧ୍ୟ ବିଭିନ୍ନ ପ୍ରକାର ଉପଦେଶ ନିଆଯାଇଛି ବୋଲି କହିଥିଲେ। ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଏଭଳି କରିବା ସାଧାରଣରେ ଚର୍ଚ୍ଚାର ବଷୟ ପାଲଟିଛି।