ଜଙ୍ଗଲ ଜମି ପଟ୍ଟା ପାଇଁ ତାତିଲେ ବନବାସୀ, ହକ୍ ନ ମିଳିବା ଯାଏ ବନ କର୍ମଚାରୀଙ୍କୁ ଗାଁ’ ମନା

ସିନାପାଲି,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ସ୍ଥିତ ମାଓ ଅଧ୍ୟୁଷିତ ନଙ୍ଗଲବୋର୍ଡ଼ ଠାରେ ଜମିଜଙ୍ଗଲ ମୁକ୍ତି ଆନ୍ଦୋଳନ ତରଫରୁ ଏକ ବିରାଟ ଜନଆନ୍ଦୋଳନ କରିବା ପାଇଁ ବନବାସୀ ମାନେ ଏକଜୁଟ ହୋଇଛନ୍ତି। ଆଜି ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହିଥିବା ବେଳେ ସିନାପାଲି ରେଞ୍ଜର ବିମଳ ପ୍ରକାଶ ଟପ୍ନୋ, ଖଡିଆଳ ରେଞ୍ଜର ସଂସ୍କୃତି ଗଡ଼ନାୟକ ଉପସ୍ଥିତ ରହି ଜଙ୍ଗଲ ଜମି ୨୦୦୬ ଆଇନ କାର୍ଯ୍ୟକାରିତା ଉପରେ ବିଶେଷ ଆଲୋଚନା କରିଥିଲେ। ଏହି ନିୟମ ଅନୁଯାୟୀ ଗୋଷ୍ଠୀଗତ ଅଧିକାର ପାଇଁ ବନବାସୀମାନେ ଦୀର୍ଘଦିନ ହେଲା ଆବେଦନ କରିବା ସହ ସବିଶେଷ ଫର୍ମ ଦାଖଲ କରି ସାରିଛନ୍ତି। ହେଲେ ବନବିଭାଗ ଟାଳଟୁଳ ନୀତି ଅବଲମ୍ବନ କରି ଦସ୍ତଖତ କରୁନାହିଁ। ଏହି ଘଟଣାକୁ ନେଇ ଖଡିଆଳ ଡିଏଫଓ ବିବେକ କୁମାରଙ୍କୁ ଗତ କିଛି ଦିନ ତଳେ ନଙ୍ଗଲବୋଡ ଠାରେ ବନବାସୀମାନେ ୨ ଘଣ୍ଟା ଧରି ଅଟକ ରଖି ଥିଲେ। ସେହିଦିନ ଡିଏଫଓ ୨୪ ତାରିଖ ଦିନ ବୈଠକ ବସି ସମାଧାନ କରିବାକୁ କହିଥିଲେ। କିନ୍ତୁ ଆଜି ଡିଏଫଓ ଆସି ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥଲେ। ଆଗାମୀ ଦିନରେ ବନବିଭାଗ ଆମର ହକ ନ ଦେବା ଯାଏଁ ଗ୍ରାମକୁ ବନ କର୍ମଚାରୀ ମାନଙ୍କୁ ପୁରାଇ ନ ଦେବାକୁ କହି ପୋଷ୍ଟର ଲଗାଇ ପ୍ରତିବାଦ କରିଥିଲେ। ବାରମ୍ବାର ପ୍ରଶାସନ ନିକଟରେ ହାରି ଗୁହାରି କରିବା ସତ୍ତେ୍ୱ ମଧ୍ୟ ପ୍ରଶାସନ ଶୁଣୁନଥିବରୁ ବନବାସୀ ତତିଛନ୍ତି।

ଆଗାମୀ ଦିନରେ କୋଭିଡ କଟକଣାକୁ ନମାନି ଡିଏଫଓ ଅଫିସ ସହିତ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଡିଏଫଓ ସିନ୍ଦୂରଶିଲ ଗ୍ରାମକୁ ଗତ ୧୯ ତାରିଖ ଦିନ ଯାଇଥିବା ବେଳେ ସେହି ଗ୍ରାମର ଲୋକମାନଙ୍କ ସହିତ ଆଲୋଚନା କରି ଆଦିବାସୀ ବ୍ୟତୀତ ଅନ୍ୟଜାତିର ଲୋକମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ ନାହିଁ ବୋଲି କହିବା ପରେ ଅସନ୍ତୋଷ ବୃଦ୍ଧି ପାଇଛି। ସରକାରଙ୍କ ଜଙ୍ଗଲ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ଯଦି ୨୦୦୫ ମସିହା ଡିସେମ୍ବର ସୁଦ୍ଧା ଜଙ୍ଗଲ ଜମି ଦଖଲ କରିଥିଲେ ସେହି ବ୍ୟକ୍ତି ପଟ୍ଟା ପାଇବେ। ପ୍ରଶାସନ ତରଫରୁ କେବଳ କିଛି ଆଦିବାସୀ ମାନଙ୍କୁ ପଟ୍ଟା ଦେଇ ଅଣ ଆଦିବାସୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ଦିଆଯାଇନାହିଁ ବୋଲି ବନବାସୀ ଆଜି ମେଳିରେ ଯୋର ବର୍ଷି ଥିଲେ। ଆଜିର ଏହି ମେଳିରେ ଡବ୍ଲଇଓ ସୂର୍ଯ୍ୟକାନ୍ତ ଭୋଇ, ଜିଲ୍ଲା ପରିଷଦ ସଦସ୍ୟ ଗିରିରାଜ ମାଝୀ, ଆନ୍ଦୋଳନର ସଂଯୋଜକ ଖୁଟୁରାମ ସୁନାନୀ, ହିରାଧର ମାଝୀ, ମେଘନାଥ ଖର୍ସେଲ, ହନୁରମ ମାଝୀ, ଗଣେଶ ପୋଡ଼, ଜଗଦୀଶ ମାଝୀ, ତୁଳସିରାମ ମାଝୀ, ସଉଦାଗର ସାହୁ ସମେତ ଅନେକ ଉପସ୍ଥିତ ଥିଲେ।