ଶିକାରୀକୁ ଗିରଫ ପାଇଁ ଉଦ୍ୟମ ବେଳେ ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ 

ଦେବଗଡ଼,ଏନ୍ଏନ୍ଏସ୍ :ଦେବଗଡ଼ ବନଖଣ୍ଡ ତିଳେଇବଣି ସେକ୍ସନ ଅନ୍ତର୍ଗତ ଶାନ୍ତିନଗର ଗ୍ରାମରେ ବାର୍ହା ଶିକାରୀକୁ ଗିରଫ କରିବା ପାଇଁ ଉଦ୍ୟମ କରିବାରୁ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ। ଏନେଇ ଆଜି ବନ ବିଭାଗରେ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଶାନ୍ତିନଗର ଅଞ୍ଚଳରେ ବାର୍ହା ଶିକାର ହୋଇଥିବା ଖବର ପାଇ ନିକଟସ୍ଥ କୁରୋଡ଼ ଗ୍ରାମର କେତେକ ଯୁବକ ଉକ୍ତ ସ୍ଥାନକୁ ଯାଇ ବାର୍ହା ମାଂସ ନେବାକୁ ଚାହିଁଥିଲେ। ତେବେ ଉକ୍ତ ଗ୍ରାମବାସୀ ଏଥିରେ ରାଜି ନ ହବାରୁ ଉକ୍ତ ଯୁବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ପରେ ଖବର ପାଇ ବନ କର୍ମଚାରୀ ଉକ୍ତ ଗ୍ରାମରେ ଚଢ଼ଉ କରିଥିଲା। ବନ କର୍ମଚାରୀଙ୍କୁ ଦେଖି ଶିକାରୀ ବଚନ ସାଉଁଳିଆ ଓ ଲଝର ସାଉଁଳିଆ ଫେରାର ହୋଇଯିବା ସହ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ଜଣାଇବାରୁ ସେମାନେ ଲାଠି ଠେଙ୍ଗା ଆଦି ଧରି ବନକର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ବନ କର୍ମଚାରୀ ଜବତ କରିଥିବା ବାର୍ହା ମାଂସ ଧରି ଘଟଣାସ୍ଥଳରୁ ଚାଲି ଆସିଥିଲେ। ଏନେଇ ଦେବଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କୁ ଅବଗତ କରାଇବା ପରେ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।