ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ରେଞ୍ଜର ଗୁଡ଼ଭେଲା ଫରେଷ୍ଟ ସାର୍କିଲ ଅନ୍ତର୍ଗତ ଘୁନା ପଞ୍ଚାୟତର ନିମୁର୍ସିଙ୍ଗା ଗାଁରେ ବନ ବିଭାଗ ଚଢ଼ଉ କରି ୭୮ ଖଣ୍ଡ ଚୌଉକାଠ ସହ ଗୋଟିଏ ପିକଅପ୍ ଭ୍ୟାନ ଜବତ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ତୁଷୁରା ଏନଏସିର ସନୁ ମହାରଣା ଓ ବିବେକ୍ ଭୋଇ। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ରିପୋର୍ଟ ମୁତାବକ, କଳାହାଣ୍ଡି ଜିଲ୍ଲା ମ.ମରାମପୁର ଅନ୍ତର୍ଗତ ବେନାଗୁରାଠାରୁ ତୁଷୁରାକୁ ଚୌଉକାଠ ବୋଝେଇ ଏକ ପିକଅପ୍ ଭ୍ୟାନରେ ଚାଲାଣ ହେଉଥିବା ନେଇ ବନ ବିଭାଗ ଖବର ପାଇଥିଲା। ପୂର୍ବ ପସ୍ତୁତି ଅନୁଯାୟୀ ବନ କର୍ମଚାରୀମାନେ ଘୁନା ପଞ୍ଚାୟତ ନିମୁର୍ସିଙ୍ଗାଠାରେ ଛକି ରହିଥିଲେ। ଏହି ସମୟରେ ବନ କର୍ମଚାରୀ ଛକି ବସିଥିବା ଦେଖି ହଠାତ ଗାଡ଼ିକୁ ପଛକୁ ବୁଲାଇି ବଗବାହାଳ ପଟକୁ ପଳାଇବା ପାଇଁ କାଠ ବ୍ୟବସାୟୀମାନେ ଚେଷ୍ଟା କରିଥିଲେ । ବନବିଭାଗ କର୍ମଚାରୀ ସେମାନଙ୍କୁ ପିଛା କରିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଚଢ଼ଉରେ ଗୁଡଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ, କୁଡ଼ାସିଂହା ଫରେଷ୍ଟର ଜୟ କୃଷ୍ଣ ଭୋଇ, ଜାମୁଟ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ବେହେରା, ଟାପସୁଗୁଡ଼ା ଫରେଷ୍ଟ ଗାର୍ଡ ଇତିଶ୍ରୀ ବଢ଼ିଆ, ଧନପୁର ଫରେଷ୍ଟ ଗାର୍ଡ ଯୁଧିଷ୍ଠୀର ରାଉତ, ତୁଳସି ସ୍ୱାଇଁ ଓ ପ୍ରଜ୍ଞା ପ୍ରିୟଦର୍ଶନୀ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।