ମୃତବ୍ୟକ୍ତିର ଅସ୍ଥି ସଂଗ୍ରହ କରି ଫରେନ୍ସିକ ଟେଷ୍ଟ ପାଇଁ ପଠାଇଲା ପୁଲିସ୍

ଖୁଣ୍ଟା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର ବ୍ଲକର ଆରପଟା ପଞ୍ଚାୟତ ଅଧିନସ୍ଥ ଦାଉଁଡିଆ ଗ୍ରାମର ବଡବଧା ନାମରେ ଏକ ଆଦିବାସୀ ସାହିର ଅଭାବନୀୟ ଦୁର୍ଘଟଣାର ଗୁମର ଖୋଲିଛି। ପୋଲିସର ଭୟ ହେଉ କିମ୍ବା ଅର୍ଥାଭାଵରେ ହେଉ ଅପମୃତ୍ୟୂ ପରେ ଶବକୁ ପରିବାର ଲୋକଙ୍କ ସହ ଗ୍ରାମର ପଡୋଶୀମାନେ ପୋଡି ଦେଇଛନ୍ତି।ଉକ୍ତ ଗ୍ରାମର ଗତ ଗୁରୁବାର ୩୦/୮ରେ ଜଣେ ବୃଦ୍ଧା ମହିଳାଙ୍କୁ ରାତ୍ରିରେ ସାହି ବାସିନ୍ଦା ଶବ ଦାହ କରିବାକୁ ଯାଇଥିଲେ,ସେହି ସମୟରେ ଶ୍ମଶାନରୁ ସେମାନଙ୍କ ମଧ୍ୟରୁ କେତେକ ଲୋକ ଗାଁକୁ ଆସି ନିଶା ଦ୍ରବ୍ୟ ସେବନ କରି ପୁଣି ଶ୍ମଶାନକୁ ଫେରିଯାଇଥିଲେ।ଦାହ ଶେଷ ହେବାପରେ ଫେରିବା ସମୟରେ ଉକ୍ତ ଗ୍ରାମର ଏକ ନୂତନ ଖୋଳା ଯାଇଥିବା ପୋଖରୀରେ ସ୍ନାନ କରିବାପାଇଁ ଯାଇଥିଲେ।ତେବେ ପୋଖରୀ ତୁଠରୁ ସମସ୍ତେ ଘରକୁ ଫେରିଥିଲେ,କିନ୍ତୁ ବାପି ସିଂ(୩୫) ନାମକ ଜଣେ ବିବାହିତ ଯୁବକ ଆଉ ଘରକୁ ଫେରିନଥିଲେ।ସେହି ଦିନ ରାତ୍ରିରେ ସେ କେଉଁଠି ନିସାକ୍ତରେ ରହିଥିବ ଭାବି ପରିବାର ସ୍ତ୍ରୀ ଓ ତାର ଭାଇମାନେ ଖୋଜା ଖୋଜି କରିନଥିଲେ।ତାପରଦିନ ସକାଳେ ଶୁକ୍ରବାର ଦିନ ଖୋଜା ଖୋଜି କରିବାପରେ ସେହି ପୋଖରୀରୁ ତାର ମୃତଦେହ ଗାଁର ଭାଇମାନେ ଉଦ୍ଧାର କରିଥିଲେ। ଘଟଣା ପରେ ସେମାନେ ଭୟଭୀତ ହୋଇଯାଇଥିଲେ।ଘଟଣା ବାବଦରେ ବିଭିନ୍ନ ଲୋକଙ୍କ ପାଖରୁ ବିଭିନ୍ନ କଥା ଶୁଣିବା ପରେ ମୃତ ଦେହକୁ ଡାକ୍ତରଖାନା ଆଣିବା କିମ୍ବା ପୋଲିସକୁ ଖବର ଦେବା ପରିବର୍ତ୍ତେ ମୃତ ଦେହକୁ ଦାହ କରିଦେଇଥିଲେ। ସେମାନଙ୍କ ଏକ ଭୟ ସୃଷ୍ଟି ହେଲା ଯେ ପୋଲିସକୁ ଖବର ଦେଲେ ପୋଲିସ କାହାକୁବି ଅସୁବିଧାରେ ପକାଇପାରେ କିମ୍ବା ଡାକ୍ତରଖାନା ଗଲେ ଶବ ବ୍ୟବଛେଦପାଇଁ ଗାଡି ଭଡ଼ା ଅନ୍ୟାନ ଖର୍ଚ୍ଚ ପଡ଼ିବ। ବାପି ସିଂର ସ୍ତ୍ରୀ ବ୍ୟତିତ ଆଉ କେହି ନଥିବାବେଳେ ଏତେ ଦାୟିତ୍ଵ କିଏ ନେବ ଭାବି ସ୍ଥାନୀୟ ଲୋକେ ଶବକୁ ଦାହ କରିଥିଲେ। ପରେ ଖବର ପ୍ରଘଟ ହେବାପରେ ତାର ଜଣେ ଭାଇ ରମେଶ ସିଂ ପୋଲିସ ପାଖରେ ଏକ ଅଭିଯୋଗ କରିବାପରେ ପୋଲିସ ତାର ଅନୁସନ୍ଧାନ କରୁଛି।ଘଟଣା ସ୍ଥଳରେ ପହଁଞ୍ଚି ପଡୋଶୀ ତଥା ତାର ସ୍ତ୍ରୀ ନିକଟରୁ ତଥ୍ୟ ସଂଗ୍ରହ କରିଛି।ଗତକାଲି ସୋମବାର ସନ୍ଧ୍ୟାରେ ଉଦଳା ଏସଡିପିଓ,ଖୁଣ୍ଟା ଥାନା ଅଧିକାରୀ,କୁଆମରା ଏଏସଆଇ ସମସ୍ତେ ଘଟଣା ସ୍ଥଳରେ ପହଁଞ୍ଚିଥିଲେ।ଏ ବାବଦରେ ପୋଲିସ ମାମଲା ରୁଜୁ କରିଛି। ଶ୍ମଶାନରୁ ବାପିର ଅସ୍ଥି ସଂଗ୍ରହ କରି ଫରେନସିକ୍ ଟେଷ୍ଟ ପାଈଁ ପଠାଇଛନ୍ତି।