ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ ପାସ୍

ନୂଆଦିଲ୍ଲୀ,ଏଜେନ୍ସି: ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ ୨୦୨୦ ରାଜ୍ୟସଭାରେ ପାସ୍ ହେବା ସହ ଏହା ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଲ୍ ୨୦୧୦ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ୍‌ରେ ସଂଶୋଧନ ଆଣିବ। ୨୦୧୦ର ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ଅନୁସାରେ ବିଭିନ୍ନ କମ୍ପାନୀ, ସଙ୍ଗଠନ ଓ ବ୍ୟକ୍ତି ବିଶେଷ ବିଦେଶୀ ପାଣ୍ଠି ଗ୍ରହଣ କରିବା ଓ ତାର ବ୍ୟବହାର କରିବାକୁ ନିୟନ୍ତ୍ରଣ କରାଯାଉଥିଲା। କୌଣସି ବିଦେଶୀ ଅନୁଦାନ ମଧ୍ୟରେ ବିଦେଶରୁ ଆସୁଥିବା ଦାତବ୍ୟ ଅର୍ଥ, ବିଦେଶରୁ ଅର୍ଥ ହସ୍ତାନ୍ତର ଓ ଅନ୍ୟାନ୍ୟ ପ୍ରତି ଅନ୍ତର୍ଭୁକ୍ତ। ଏହି ବିଲ୍ ଅନୁସାରେ ସରକାରୀ କର୍ମକର୍ତ୍ତାମାନେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିପାରିବେ ନାହିଁ। ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ଅନୁମତି ନେବା, ପଞ୍ଜିକରଣ କରିବା, ପଞ୍ଜିକରଣର ନବୀକରଣ କରିବା ପାଇଁ ପ୍ରତ୍ୟେକଙ୍କୁ ଆଧାର ନମ୍ବର ଦେବାକୁ ହେବ। ବିଦେଶର ଅନୁଦାନ ନିୟନ୍ତ୍ରଣ ଆଇନ ଜମାଖାତାକୁ ସେହି ଅର୍ଥ କେବଳ ଆସିପାରିବ।

ବିଲ୍ ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଦେଶୀ ଅନୁଦାନ ଯେପରି ଦେଶର ସାମାଜିକ, ରାଜନୈତିକ ବାତାବରଣକୁ ପ୍ରଭାବିତ ନକରେ, ଏହି ବିଲ୍ ଆଣିବା ପଛରେ ତାହା ମୂଳ ଲକ୍ଷ୍ୟ ରହିଛି। ସେ କହିଛନ୍ତି, ଏହି ବିଲ୍ ବିଦେଶୀ ଅନୁଦାନ ଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବ। ବିଲ୍ ଉପରେ ଆଲୋଚନା ଆରମ୍ଭ କରି ବିଜେପିର ଅରୁଣ ସିଂ କହିଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଏହା ଏକ ଅତି ଉତ୍ତମ ପଦକ୍ଷେପ, ଯାହାଦ୍ୱାରା ବିଦେଶରୁ ଆସୁଥିବା ପାଣ୍ଡିକୁ ତଦାରଖ କରାଯାଇପାରିବ। ସେ କହିଛନ୍ତି, ଅନେକେ ଏନ୍‌.ଜି.ଓ ବିଦେଶୀ ପାଣ୍ଠିର ଅପବ୍ୟବହାର କରୁଥିବାରୁ ଏହି ବିଲ୍ ଆଣିବା ଅପରିହାର୍ଯ୍ୟ ହୋଇପଡିଛି। ବିଜୁ ଜନତା ଦଳର ପ୍ରଶାନ୍ତ ନନ୍ଦ କହିଛନ୍ତି, ବିଦେଶୀ ଅନୁଦାନକୁ ଅନ୍ୟ ବାବଦରେ ଖର୍ଚ୍ଚ କରାଯିବା କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

ତେବେ ସେ ଏକଥା ମଧ୍ୟ କହିଛନ୍ତି, କୌଣସି ପ୍ରକାରର ଅନିୟମିତତା ସହ ସମ୍ପୃକ୍ତ ନଥିବା ଏନ୍‌ଜିଓଗୁଡିକୁ ବିଭିନ୍ନ ସଂସ୍ଥା ଦ୍ୱାରା ହଇରାଣ ହରକତ କରାଯିବା ଉଚିତ୍ ନୁହେଁ। ବିଲ୍‌କୁ ସମର୍ଥନ କରି ଜେଡିୟୁ ନେତା ଆରସିପି ସିଂ କହିଛନ୍ତି, ଏ ସଂକ୍ରାନ୍ତ ତଦାରଖ ବ୍ୟବସ୍ଥାକୁ ଏହି ଆଇନ ଅଧିକ ମଜଭୁତ କରିବ। ଏଆଇଏଡିଏମ୍‌କେର ଏସ୍‌ଆର ବାଲସୁବ୍ରଣ୍ୟମ୍‌, ସ୍ୱପନ ଦାସଗୁପ୍ତା, ଟିଡିପିର କେ. ରବୀନ୍ଦ୍ର କୁମାର ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରିଥିଲେ।