ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ବିଦେଶୀ ପ୍ରତିନିଧିଙ୍କ ପ୍ରଶଂସା

ଭୁବନେଶ୍ବର,ଏନ୍ଏନ୍ଏସ୍: ଭାରତ ଗସ୍ତରେ ୮ ଟି ଦେଶର ପ୍ରତିନିଧି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଆୟୋଜିତ ଜେନ ନେକ୍ସଟ ଡେମୋକ୍ରାସି ନେଟଓ୍ୱାର୍କ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରତିନିଧି ଦଳ । ଏହି ପ୍ରତିନିଧି ଦଳ ଓଡିଶା ଆସି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବାବଦରେ ଅବଗତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରତିନିଧିଙ୍କୁ ଓଡିଶାର ବିପର୍ଯ୍ୟୟ ପରିଚାଳନା ବାବଦରେ ଅବଗତ କରାଇଛନ୍ତି । ବ୍ରାଜିଲ, ବେଲଜିୟମ, ବୁଲଗେରିଆ, କ୍ରୋଏସିଆ, ଗାଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ୍‌ ଓ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶକୁ ୨୬ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଓସଡମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ପାୱାର ପଏଣ୍ଟ ଉପସ୍ଥାପନ ଜରିଆରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସବିଶେଷ ତଥ୍ୟ ରଖିଛନ୍ତି।

ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଯୋଗରେ ‘ସୋଆ’ ସଂଯୋଜନାରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଶାସନ ସଚିବ ଯୋଗ ଦେଇଛନ୍ତି । ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କିପରି ବିପର୍ଯ୍ୟୟ ସଫଳତାର ସହ ପରିଚାଳନା କରିପାରିଛି, ସେ ସଂପର୍କରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ଯୁବ ପ୍ରତିନିଧିଙ୍କୁ ଅବଗତ କରି କହିଛନ୍ତି ଯେ, ୧୯୯୯ ରେ ସଂଘଠିତ ମହାବାତ୍ୟା ଆମର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟା ସଂପର୍କରେ ଅସ୍ପଷ୍ଟ ଆକଳନ, ଅଗୁଆ ପ୍ରସ୍ତୁତି ଅଭାବ, ୨୬୯ ରୁ ୩୦୦ କିମି ପ୍ରତି ଘଣ୍ଟା ପବନର ବେଗକୁ ସମ୍ମୁଖୀନ ହେବାରେ କ୍ଷମତା ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିର ଅଭାବ ରହିଥିଲା । ଏଥି ଯୋଗୁଁ ଓଡ଼ିଶାରେ ପ୍ରାୟ ୧୦ ହଜାର ଜୀବନ ହାନି ଘଟିବା ସହ ୧୮ ଲକ୍ଷ ହେକ୍ଟର ଫସଲ ନଷ୍ଟ ଓ ୨୦ ଲକ୍ଷ ଘର ଭାଙ୍ଗିଥିଲା ।