ବରଘାଟରେ ବିଦେଶୀ ପକ୍ଷୀଙ୍କ ଆଗମନ

ଝାରସୁଗୁଡା,ଏନ୍ଏନ୍ଏସ୍: ଶୀତ ଆରମ୍ଭ ହେଉ ହେଉ ଚଳିତ ବର୍ଷ ପ୍ରଥମ ଥର ପାଇଁ ଇବ ନଦୀସ୍ଥିତ ବରଘାଟରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ଏହା ପରିବେଶ ବିତ୍ ପକ୍ଷୀ ପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଆଣିଦେଇଥିବା ବେଳେ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟିକୁ ମଧ୍ୟ ଆକର୍ଷଣ କରିଛି।

ସୂଚନା ଯୋଗ୍ୟ ଯେ ଦୀର୍ଘ ୪ ଦିନ ହେବ ଇବ ନଦୀ ସ୍ଥିତ ବରଘାଟର ସ୍ଥିର ପାଣିରେ କିଛି ବିଦେଶୀ ପକ୍ଷୀ ବିଚରଣ କରିବାର ଦେଖିବାକୁ ମିଳୁଛି। ଏହି ପକ୍ଷୀଗୁଡ଼ିକ ପ୍ରାୟତ ଚୀନ, ରୁଷିଆରେ ଦେଖା ଯାଆନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚଳିତ ବର୍ଷ ଇବ ନଦୀକୁ ଆସିଥିବା ପକ୍ଷୀଙ୍କ ମଧ୍ୟରେ ବିରଳ ମାଣ୍ଡାରିନ, ମଲ୍ଲାରର୍ଡ, ବ୍ଲାକ୍ ହେଡେଡ ଗର୍ଲ, କମନ ପୋଚାଡ଼, କମନ କୋଟ ଆଦି ପକ୍ଷୀ ରହିଛନ୍ତି ବୋଲି ସେମାନେ କହିଛନ୍ତି।

ସେମାନେ ଆହୁରି ମଧ୍ୟ କହିଛନ୍ତି ଏହି ପକ୍ଷୀମାନେ ଏଠାରେ ସୁରକ୍ଷିତମନେ କଲେ ପ୍ରତିବର୍ଷ ଶୀତଦିନେ ଆସିବେ। ତେଣୁ ଉକ୍ତ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।