ବିଦେଶୀ ମଦ ଜବତ : ଜଣେ ଅଟକ

ଝାରସୁଗୁଡା,ଏନ୍ଏନ୍ଏସ୍ : ସାରା ଦେଶ ତଥା ରାଜ୍ୟରେ ଲକ୍ ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଦେଶରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରହୁଛି। ହେଲେ ମଦୁଆଙ୍କ ମଦ ଚାହିଦା ମେଂଟାଇବା ଓ ଅଧିକା ପଇସା ରୋଜଗାର ପାଇଁ ଝାରସୁଗୁଡା ଜିଲ୍ଲାରେ କେତେକ ମଦ ବ୍ୟବସାୟୀ ସକ୍ରିୟ ଅଛନ୍ତି । ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ମଦ ବିକ୍ରି କରୁଥିବାବେଳେ ଆଜି ଝାରସୁଗୁଡା ବିଟିଏମ ଅଂଚଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଜବତ କରାଯାଇଥିବା ମଦର ମୁଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ତେବେ ଏହାକୁ ବିକ୍ରି କରୁଥିବା ବ୍ୟବସାୟୀ ଜଣକ ଖସି ପଲାଇ ଥିବାବେଳେ ପୁଲିସ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି ।

ସୂଚନା ଅନୁଯାୟୀ, ବିଟିଏମ ଅଂଚଳରେ ବେଆଇନ ଭାବରେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଗୁରୁବାର ବିଟିଏମ ଛକ କିର୍ତନ ମଣ୍ଡପ ନିକଟସ୍ଥ ଏକ ଫାଷ୍ଟଫୁଟ ଷ୍ଟଲ ଫଛପଟେ କର୍ଣ୍ଣ ପରିଡା ମଦ ବିକ୍ରି କରୁଥିବା ସମୟରେ ଇନ୍ସପେକ୍ଟର ନରୋତମ ମିଶ୍ର ଓ ଓଆଇସି ଭୈରବ ସାହୁଙ୍କ ସହ ଏକ ଟିମ ଚଢାଉ କରିଥିଲା। ଅବକାରୀ ବିଭାଗର ହଠାତ ଚଢାଉ ପରେ ମଦ ବ୍ୟବସାୟୀ ଜଣକ ମଦ ବୋତଲ ଛାଡି ଫେରାର ହୋଇଯାଇଥିଲେ । ପୁଲିସ ମଦ ଜବତ କରିବା ସହ ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତିକୁ ଆଣି ପଚରା ଉଚରା ଚଲାଇଛି ।