କୋରାପୁଟ ସହରକୁ ଛୁଇଁଲା କରୋନା: ସଂଖ୍ୟା ୧୭କୁ ବୃଦ୍ଧି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହରରେ ପ୍ରଥମଥର ପାଇଁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ କୋରନା ଆକ୍ରାନ୍ତ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆକ୍ରାନ୍ତ ଯୁବକ ଜଣକ କୋରାପୁଟ ପୌରପରିଷଦର ୨ନଂ ୱାର୍ଡ ପୂଜାରୀପୁଟ ଅଂଚଳର ବୋଲି ଜଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। କିଛିଦିନ ପୂର୍ବରୁ ସମ୍ପୃକ୍ତ ଯୁବକ କୋଲକାତାରୁ ଫେରି ହୋମ୍ କ୍ୱାରେଣ୍ଟାଟାଇନରେ ଥିଲେ। ପରେ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଜୟପୁର କୋଭିଡ ହସ୍ପିଟାଲକୁ ପଠାଯାଇଛି। ଅନ୍ୟପଟେ ପୁଜାରୀପୁଟର ପୁରୁଣା ଏଲଆଇସି ବିଲ୍ଡିଂ ଛକରୁ ଷ୍ଟାଡିୟମ୍ ରୋଡ ଏବଂ ରଣା ସାହିକୁ ୪ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏଥିସହିତ ବିଜ୍ଞାନ କଲେଜ ଛକ ସମେତ ନିକଟ ଅଂଚଳକୁ ବଫୋର ଜୋନ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରୁ ୪ ହଜାର ୬୧୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୪ ହଜାର ୨୫୭ ଜଣଙ୍କ ରିପୋର୍ଟ ଆସିଛି। ସେଥିମଧ୍ୟରୁ ମାତ୍ର ୧୭ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି।