ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ପ୍ରଥମଥର ପାଇଁ ୯ଜଣ ଜଜ୍ ଭାବେ ପଦଭାର ସମ୍ଭାଳିଛନ୍ତି। ମୁଖ୍ୟ ବିଚାରପତି ଏନବୀ ରମନା ସମସ୍ତଙ୍କୁ ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ୯ଜଣ ଜଜଙ୍କ ମଧ୍ୟରୁ ୮ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଜଜ୍ ଥିବାବେଳେ ଜଣେ ବରିଷ୍ଠ ଓକିଲ ରହିଛନ୍ତି। ସେମାନେ ହେଲେ ଜଷ୍ଟିସ ଏ ଏସ୍ ଔକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେ କେ ମାହେଶ୍ୱରୀ, ଜଷ୍ଟିସ ହିମା କୋହଲୀ, ଜଷ୍ଟିସ ବୀ ବୀ ନାରଗରତ୍ନା, ଜଷ୍ଟିସ ବେଲା ତ୍ରିବେଦୀ, ଜଷ୍ଟିସ ସୀ ଟୀ ରବିନ୍ଦ୍ରକୁମାର, ଜଷ୍ଟିସ ଏମ ଏମ ସୁନ୍ଦରେଶ ଓ ବରିଷ୍ଠ ଓକିଲ ପୀ.ଏସ୍ ନରସିହ୍ମା।
ସୂଚନାଯୋଗ୍ୟ, ସାଧାରଣତଃ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ହେଉଥିବା ଏହି କାର୍ଯ୍ୟକ୍ରମ ଏଥର ଟିକିଏ ଭିନ୍ନ ଥିଲା। କିନ୍ତୁ ନୂଆ ଜଜଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସୁପ୍ରିମକୋର୍ଟର ନୂଆ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ଅଡିଟୋରିୟମରେ ୯୦୦ ଲୋକଙ୍କ ବସିବାର ବ୍ୟବସ୍ଥା ରହିଛି। ଏଥିସହିତ ପ୍ରଥମଥର ପାଇଁ ଜଜଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଦୂରଦର୍ଶନରେ ସିଧା ପ୍ରସାରଣ କରାଯାଇଥିଲା।