କରୋନା ମୁକାବିଲା ପାଇଁ ମେ’ ୧୭ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଗତ ୫ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଥିବା ସତ୍ତ୍ୱେ କରୋନା ସଂକ୍ରମଣରେ ସୁଧାର ଆସୁନି। ଏନେଇ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫.୩୦ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ ଏହି ବୈଠକ। ଆଲୋଚନାରେ ରାଜ୍ୟର ସମସ୍ତ ବିଧାୟକ ଅଂଶଗ୍ରହଣ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବେ ସମସ୍ତ ବିଧାୟକ।

କୋଭିଡ ମୁକାବିଲା ନେଇ ବୈଠକରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ କୋଭିଡ ସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଏପରି ସ୍ଥିତିରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଗୋଟିଏ ସ୍ଥାନରେ ଏକତ୍ରିକରଣ ଉପରେ କୋଭିଡ କଟକଣା ଲାଗିଛି ତେଣୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଓ ଜିଲ୍ଲା ମୁଖ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ସମସ୍ତ ବିଧାୟକ ମାନେ ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେବେ।