କରୋନା ନିୟମ ଭାଙ୍ଗି ୨ ମାସ ଇଣ୍ଡଷ୍ଟ୍ରିରୁ ବ୍ୟାନ

ମୁମ୍ବାଇ: କରୋନା ପଜିଟିଭ ଚିହ୍ନଟ ହେବା ସତ୍ୱେ କ୍ୱାରେଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଚଳଚ୍ଚିତ୍ର ଅଭିନେତ୍ରୀ ଗୌହର ଖାନଙ୍କ ନାମରେ ଏଫଆଇଆର ଦାୟର ହୋଇଛି। ଏନେଇ ଏବେ ଗୌହରଙ୍କୁ ଏକ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମପ୍ଲୋଇଜ ଏହି ଦାୟିତ୍ୱହୀନତା ଲାଗି ଗୌହରଙ୍କୁ ୨ ମାସ ପାଇଁ ଇଣ୍ଡଷ୍ଟ୍ରିରୁ ବ୍ୟାନ କରିଥିବା ଜଣାପଡ଼ିଛି।

ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମପ୍ଲୋଇଜର ଅଧ୍ୟକ୍ଷ ଏନ.ତିୱାରୀ କହିଛନ୍ତି ଯେ, କ୍ୱାରେଣ୍ଟାଇନ ନିୟମକୁ ଉଲଂଘନ କରି ଗୌହର ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଇଛନ୍ତି। କ୍ୱାରେଣ୍ଟାଇନ ଲାଗି ବିଏମସି ତାଙ୍କ ହାତରେ ଷ୍ଟାମ୍ପ ଲଗାଇଥିଲେ ମଧ୍ୟ ସେ ଘରୁ ବାହାରକୁ ଯାଇଥିଲେ। ବର୍ତ୍ତମାନ ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବଡ଼ ବଡ଼ ତାରକା ସମସ୍ତ ଗାଇଡଲାଇନ ପାଳନ କରୁଛନ୍ତି। ସେଥିପାଇଁ ଗୌହରଙ୍କୁ ମଧ୍ୟ ଏହି ନିୟମକୁ ଅଣଦେଖା କରିବାର ନଥିଲା।