ଦିଲ୍ଲୀ: ଘନ କୁହୁଡି ଓ ପ୍ରଦୂଷଣରେ ଅଣନିଶ୍ବାସୀ ଲୋକେ

ନୂଆଦିଲ୍ଲୀ,ଏଜେନ୍ସି: ପୁଣି ବିଗୁଡୁଛି ଦିଲ୍ଲୀର ପରିବେଶ। ଲଗାତାର ଦୁଇଦିନ ହେବ ପ୍ରଦୂଷିତ ବାୟୁରେ ଦିଲ୍ଲୀ ପ୍ରଭାବିତ ହେଉଛି। ଫଳରେ ଦିଲ୍ଲୀ ଧୂଆଁମୟ ହୋଇଯାଇଛି। ଅନୁକୂଳ ପାଣିପାଗ କାରଣରୁ ପ୍ରଦୂଷଣ ସ୍ତର ଅଧିକ ହୋଇଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଇଏମଡି ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ସଫଦରଜଙ୍ଗରେ ଅତ୍ୟଧିକ ମାତ୍ରାରେ କୁହୁଡି ଦେଖାଯାଇଥିଲା। ପ୍ରାୟ ୩ଶହ ମିଟର ଯାଏଁ କିଛି ଦୃଶ୍ୟମାନ ହୋଇନଥିଲା।

ମଙ୍ଗଳବାର ଅପେକ୍ଷା ଦିଲ୍ଲୀ ବାୟୁ ଗୁଣବତ୍ତା ବୁଧବାର ଅତି ଗୁରୁତର ରହିଛି। ତେବେ ବିବେକ ବିହାର, ଆନନ୍ଦ ବିହାର, ନରେଲା, ଜାହାଙ୍ଗୀରପୁରୀ, ନେହେରୁ ନାଗର, ପଞ୍ଜାବୀ ବାଗ ଭଳି ଅନେକ ମନିଟରିଂ ଷ୍ଟେସନରେ ବାୟୁ ଗୁଣବତ୍ତା ଗୁରୁତର ସୀମା ମଧ୍ୟରେ ଥିଲା। ଏକ୍ୟୁଆଇ ମାନରେ ୪୦୦ରୁ ଅଧିକ ରହିଥିବା ଆକଳନ କରାଯାଇଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଦିଲ୍ଲୀରେ ମଧ୍ୟମ କୁହୁଡି ପଡିବାର ଆଶା କରାଯାଉଛି। ଯଦିଓ ଆର୍ଦ୍ରତା ହ୍ରାସ ପାଇଛି, ପବନର ବେଗ ଅଧିକ ରହିବ। ତେଣୁ ବାୟୁ ଗୁଣବତ୍ତାରେ କୌଣସି ବିଶେଷ ଉନ୍ନତି ଦେଖାଯିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି। ଏହା ସହ ଭାରତର ଉତ୍ତର ପଶ୍ଚିମ କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।