ଟ୍ରେନରେ ମହଙ୍ଗା ହେବ ଖାଦ୍ୟପେୟ ସାମଗ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ରେଳଯାତ୍ରୀଙ୍କ ପାଇଁ ଖରାପ ଖବର। କାରଣ ରେଳ ଷ୍ଟେସନ୍ ଏବଂ ଟ୍ରେନରେ ମିଳୁଥିବା ଖାଦ୍ୟପେୟ ସାମଗ୍ରୀ ଆଗକୁ ମହଙ୍ଗା ହେବ ବୋଲି ଉଲ୍ଲେଖ କରାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ରେଳ ଏବଂ ଷ୍ଟେସନରେ ଭୋଜନର ଦାମରେ ପରିବର୍ତ୍ତନ କରାଯାଇଛି ବୋଲି ଆଇଆରସିଟିସି ପକ୍ଷରୁ ସୂଚିତ କରାଯାଇଛି। ରେଳବାଇ ବୋର୍ଡ ପରେ ବର୍ତ୍ତମାନ ରେଳ ମନ୍ତ୍ରଣାଳୟ ତରଫରୁ ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତରେ ଚା’, ଜଳଖିଆ ଏବଂ ଭୋଜନକୁ ମହଙ୍ଗା କରିବା ଲାଗି ମଞ୍ଜୁରୀ ମିଳିଛି। ମେଲ୍, ଏକ୍ସପ୍ରେସ୍ ଏବଂ ଅନ୍ୟ ଟ୍ରେନ ଗୁଡ଼ିକରେ ବି ଏହି ନୂତନ ମୂଲ୍ୟ ଲାଗୁ ହେବ।

ଏଣିକି ଏକ୍ସପ୍ରେସ୍ କିମ୍ବା ମେଲ୍ ଟ୍ରେନରେ ନିରାମିଷ ଜଳଖିଆ ୩୫ ଟଙ୍କାରେ ଏବଂ ଆମିଷ ଜଳଖିଆ ୪୫ ଟଙ୍କାରେ ମିଳିବ। ସେହିପରି ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତର ପ୍ରଥମ ଶ୍ରେଣୀ ଏସି ଟ୍ରେନରେ ୧୪୦ ଟଙ୍କାରେ ଜଳଖିଆ ମିଳିବ। ତେବେ ସମସ୍ତ ଖାଦ୍ୟପେୟ ସାମଗ୍ରୀ ଦାମରେ ପୂର୍ବରୁ ଜିଏସଟି ସାମିଲ ଥିବ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ଶ୍ରେଣୀ ଏସି ଏବଂ ଏକଜିକ୍ୟୁଟିଭ୍ ଚେୟାର୍ କୋଚରେ ୩୫ ଟଙ୍କାରେ ସକାଳ ଚା’ ମିଳିବ। ସେହିପିର ଦ୍ୱିତୀୟ ଶ୍ରେଣୀ ଏସି ବା ତୃତୀୟ ଶ୍ରେଣୀ ଏସି ବା ଚେୟାର୍ କୋଚରେ ୨୦ ଟଙ୍କା ଏବଂ ଦୁରନ୍ତ ସ୍ଲିପର୍ ଟ୍ରେନରେ ୧୫ ଟଙ୍କାରେ ସକାଳ ଚା’ ଉପଲବ୍ଧ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ମୁତାବକ, ଷ୍ଟାଣ୍ଡାର୍ଡ ଆଇଟମର ମେନୁ, ଜନତା ମିଲର ମେନୁ ଓ ଦାମ୍ ଏବଂ ସମସ୍ତ ଟ୍ରେନରେ ଏହାର ପାଳନ କରାଯାଉଥିବା ନିୟମ ଷ୍ଟାଟିକ୍ ୟୁନିଟ୍ ଉପରେ ଲାଗୁ ହେବ। ତେବେ ଶୁଳ୍କ ବୃଦ୍ଧି କରାଯିବାରୁ ଖାଦ୍ୟର ମାନ ଓ ହାଇଜିନ୍ ଉପରେ ଆଇଆରସିଟିସି ଏବଂ ଜେନେରାଲ୍ ରେଲୱେ ଯଥେଷ୍ଟ ଦୃଷ୍ଟି ଦେବେ। ଏହାସହ ଏଗୁଡ଼ିକର ଯାଞ୍ଚ କରିବା ଲାଗି ନିରୀକ୍ଷଣ ମଧ୍ୟ କରାଯିବ ବୋଲି ଉଲ୍ଲେଖ କରାଯାଇଛି।