୧୦ ଜିଲ୍ଲାକୁ ଘନକୁହୁଡ଼ି, ୨୧ରୁ ପୁଣି ବଢ଼ିବ ଶୀତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୩ ଦିନ ଧରି କୁହୁଡ଼ିର ଘନ ବଳୟ ସାମ୍ନାକୁ ଆସିବ। ଦୃଶ୍ୟମାନ କ୍ଷମତା ୫୦ ମିଟରରୁ କମ୍ ରହିବ। ୧୦ ଜିଲ୍ଲାରେ ଘନକୁହୁଡ଼ି ନଜରକୁ ଆସିବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାବେଳେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଯାନବାହାନ ଯାତାୟତ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ରହିଥିବା ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରୁ ଜଣାପଡ଼ିଛି।
ସେହିପରି ୧୯ ଓ ୨୦ ତାରିଖରେ ରାଜ୍ୟରେ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଉଛି। ଅନ୍ୟପଟେ ୨୧ ତାରିଖରୁ ପାରଦ ପୁଣି ଖସିବ ଓ ଶୀତ ବଢ଼ିବ। ୨୧ରୁ କୁହୁଡ଼ିର ଘନତା ବଢ଼ିବାର ସମ୍ଭାବନା ରହିଛି। ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ। ୨୨ ତାରିଖ ସୁଦ୍ଧା ଉଭୟ ତାପମାତ୍ରା ୨ରୁ ୩ ଡିଗ୍ରି କମିବ ଏବଂ ୨୩ ତାରିଖରୁ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଫଳରେ ଉତ୍ତର ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ିବ ଓ କମିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ ପାଇଛି।