୬ଟି ଗ୍ରାମରେ ପଶି ରହିଛି ବଢ଼ି ପାଣି, ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜାର ଅନେକ ଗ୍ରାମରେ ମହାନଦୀ ପାଣି ପଶିଯାଇଛି। ଫଳରେ ମୁହୁଦି, ଚିଖଲି, ରେମତା ପରି ୬ଟି ଗ୍ରାମର ଲୋକଙ୍କ ଦୁର୍ଦଶା ବଢ଼ିଯାଇଛି। ଗ୍ରାମଗଡ଼ିକ ଜଳବନ୍ଦୀ ଘେରରେ ଥିବାବେଳେ ଲୋକେ ଡଙ୍ଗାରେ ଯାତାୟାତ କରୁଛନ୍ତି। ଶହଶହ ଏକର ଚାଷ ଜମିରେ ପାଣି ମାଡ଼ି ଧାନ, ଅଦା, ଲଙ୍କା, ପନିପରିବା ଆଦି ଚାଷ ନଷ୍ଟ କରିଦେଇଛି। ସେହିପରି ପାଣି ଜମି ରହିଥିବାରୁ କଚ୍ଚା ଘରଗୁଡ଼ିିକ ଭାଙ୍ଗିଯାଇଛି । ବର୍ତ୍ତମାନ ଏହି ଗ୍ରାମର ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ଓ ଦି’ଓଳି ଖାଇବା ପାଇଁ ଖାଦ୍ୟର ଅଭାବ ଦେଖାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉ ଥିବାବେଳେ ଖାଦ୍ୟ ପାନୀୟ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଏନେଇ ଲଖନପୁର ବିଡିଓ ସଞ୍ଜିବ ପଟେଲଙ୍କୁ ପଚାରିବାରୁ କହିଛନ୍ତି ଯେ, ଜଳବନ୍ଦୀ ଘେରରେ ଥିବା ପ୍ରତ୍ୟେକ ଗ୍ରାମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାୟ ୫ଶହ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ପ୍ରତ୍ୟେକ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କୁ ଖାଦ୍ୟସାମଗ୍ରୀ ବଣ୍ଟାଯାଉଛି।

ସୂଚନାଯୋଗ୍ୟ ଯେ, ଉପାନ୍ତ ୧୯ ଖଣ୍ଡ ମୌଜାର ଅନେକ ଗ୍ରାମ ମହନଦୀ କୂଳରେ ଅବସ୍ଥିତ। ଏଠାକାର ଲୋକେ ମୁଖ୍ୟତଃ ଚାଷ ଓ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଚଳିତ ବର୍ଷ ଲଘୁଚାପ ବର୍ଷାରେ ମହାନଦୀ ପାଣି ଚାଷ ଜମିରେ ମାଡ଼ି ସମ୍ପୂର୍ଣ୍ଣ ଚାଷ ଉଜାଡ଼ି ଦେଇଛି । ଫଳରେ ଚାଷୀଙ୍କୁ ସରକାର ବିଶେଷ ଭାବରେ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ସେହିପରି ପକ୍କା ଘର ନଥିବା ଗରିବ ଲୋକଙ୍କୁ ବିଜୁ ପକ୍କା ଘର ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପ୍ରଦାନ କରିବା ଲାଗି ଲୋକେ ଦାବି କରିଛନ୍ତି।