ନ୍ୟୁୟର୍କରେ ବାତ୍ୟା ‘ଇଡ଼ା’ର ତାଣ୍ଡବ: ୪୧ ଜଣଙ୍କର ମୃତ୍ୟୁ, ରାସ୍ତାଘାଟ ଜଳାର୍ଣ୍ଣବ

ନ୍ୟୁୟର୍କ,ଏଜେନ୍ସି: ‘ଇଡା’ ତୋଫାନର ପ୍ରଳୟ ପରେ ଏବେ ବନ୍ୟାରେ ପ୍ରଭାବିତ ଯୁକ୍ତରାଷ୍ଟ୍ର ଆମେରିକା। ଏଯାଏ ୪୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ପାଇଁ ଆମେରିକାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ନ୍ୟୁୟର୍କ, ନ୍ୟୁ ଜର୍ସି ସମେତ ଏହାର ଆଖପାଖ ଅଞ୍ଚଳରେ ବନ୍ୟାର ପ୍ରଳୟ ଦେଖିବାକୁ ମିଳିଛି।

କେବଳ ନ୍ୟୁୟର୍କ ସେଣ୍ଟ୍ରାଲ ପାର୍କରେ ୮ ଏମଏମର ବର୍ଷା ରେକର୍ଡ କରାଯାଇଛି। ରାସ୍ତାଘାଟ ସବୁ ବର୍ଷା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଏପରିକି ବର୍ଷା ପାଣିରେ କାର୍ ସବୁ ଭାସୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ଘର ଏବଂ ବେସମେଣ୍ଟରେ ସବୁ ବର୍ଷା ପାଣି ଭରିଯାଇଛି। ମେଟ୍ରୋ ଷ୍ଟେସନରେ ବି ବର୍ଷା ପାଣି ପଶିଯାଇଛି। ଫଳରେ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଫଳରେ ନ୍ୟୁୟର୍କ ଓ ନ୍ୟୁ ଜର୍ସିରେ ଟ୍ରେନ ଯାତାୟାତକୁ ରଦ୍ଧ କରାଯାଇଛି।

ବନ୍ୟା ପରିସ୍ଥିତିକୁ ଦେଖି ଆମେରିକା ସରକାର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ହରିକେନ ଇଡା ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ହେବା ସହ ଉତ୍ତର ଆମେରିକାରେ ବର୍ଷା ଲାଗି ରହିଛି। ପ୍ରଥମେ ତୋଫାନ ଇଡା ପାଇଁ ଲ୍ୟୁସିଆନା ସହର ଅଧିକ ପ୍ରଭାବିତ ହୋଇଥିବାବେଳେ, ଏହାପରେ ନ୍ୟୁୟର୍କ ସମେତ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।