କାର୍ଯ୍ୟକାରୀ ହେବ ‘ଫ୍ଲିପକାର୍ଟ ସମର୍ଥ କାର୍ଯ୍ୟକ୍ରମ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ବ୍ୟବସାୟିକ ତଥା ବାଣିଜ୍ୟିକ ସୁବିଧାର ଅଭିବୃଦ୍ଧି ନିମନ୍ତେ କମର୍ସ ମଞ୍ଚ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ କରିଛନ୍ତି। ଏହି ବୁଝାମଣାପତ୍ର ମାଧ୍ୟମରେ ‘ଫ୍ଲିପକାର୍ଟ ସମର୍ଥ’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ହଲ୍ମାର୍କ ଉତ୍ପାଦକୁ ଜାତୀୟ ବଜାରରେ ପ୍ରବେଶ ପାଇଁ ସମର୍ଥ କରାଇବେ।

ରାଜ୍ୟର ଯେଉଁ ଅନୁମୋଦିତ ଉଦ୍ୟୋଗ ଓ ସରକାରୀ ସଂସ୍ଥା ଓଡ଼ିଶାର ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ବଜାରପ୍ରବେଶ, ତାଲିମ ଓ ସହାୟତା ଯୋଗାଇ ଦେବାପାଇଁ କାର୍ଯ୍ୟ କରିଥା’ନ୍ତି, ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ରାଜ୍ୟ ସରକାର ଫ୍ଲିପ୍କାର୍ଟ ଗ୍ରୁପ୍ଙ୍କ ସହ ମିଶି ସେମାନଙ୍କୁ ସହଯୋଗ କରିବେ। ଏହି ପଦକ୍ଷେପ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରମାନଙ୍କ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ଲାଗି ଇ-କମର୍ସ ମଡେଲରେ ସୁବିଧା ସୃଷ୍ଟି କରିବ।