ଫ୍ଲିପକାର୍ଟର ଦଶହରା ଅଫର : ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କିଣନ୍ତୁ, ପରେ ଅର୍ଥ ପଇଠ କରନ୍ତୁ

ନୂଆଦିଲ୍ଲୀ, ଏଜେନ୍ସି: ଆଗକୁ ଆସୁଛି ପାର୍ବଣ ଋତୁ। ଭାରତର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ରରେ ବିକ୍ରି ବ୍ୟବସ୍ଥା ମଧ୍ୟ କିଛି ପରିମାଣରେ ମାନ୍ଦା ପଡ଼ିଥିବା ବେଳେ ପାର୍ବଣ ଋତୁରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ଅନ୍ୟତମ ପ୍ରମୁଖ ଅନ ଲାଇନ କମ୍ପାନୀ ଫ୍ଲିପକାର୍ଟ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ବ୍ୟବସ୍ଥା। ଏହି ବ୍ୟବସ୍ଥା ଅନୁସାରେ ଜଣେ ଗ୍ରାହକ ତୁରନ୍ତ ଅର୍ଥ ପଇଠ ନକରି କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କିଣିପାରିବେ ଏବଂ ପରବର୍ତ୍ତୀ ସମୟରେ ଏକାଥରକେ କିମ୍ବା କିସ୍ତି ଅନୁସାରେ ଅର୍ଥ ପଇଠ କରିପାରିବେ। କାର୍ଡଲେସ କ୍ରେଡିଟ ବ୍ୟବସ୍ଥା ଭାବେ ଏହି ଯୋଜନାକୁ ‘ବିଗ ବିଲିୟନ ଡେଜ’ ନାମରେ ଫ୍ଲପକାର୍ଟ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା କୁହାଯାଇଛି। ଏହି ଯୋଜନା ଚଳିତମାସ ୨୯ ତାରିଖରୁ ଆରମ୍ଭ ହେବ ଏବଂ ଅକ୍ଟୋବର ୪ ତାରିଖରେ ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଜଣେ ଗ୍ରାହକ ଏହି ବ୍ୟବସ୍ଥାକୁ କାର୍ଡଲେସ କ୍ରେଡିଟ ସୁବିଧା ଭାବେ ଉପଲବ୍ଧ କରିବା ସହିତ ନିଜ ପସନ୍ଦର ସାମଗ୍ରୀ କିଣିପାରିବେ। ସାମଗ୍ରୀ କ୍ରୟ ସମୟରେ ଗ୍ରାହକଙ୍କୁ ଅର୍ଥ ପଇଠ କରିବାର ବିକଳ୍ପ ସ୍ଥିର କରିବାକୁ ହେବ। ଜଣେ ଗ୍ରାହକ ଯେତିକି ମୂଲ୍ୟର ସାମଗ୍ରୀ କିଣିଥିବେ ତାହାକୁ ପରବର୍ତ୍ତୀ ମାସରେ ବିନା ସୁଧରେ ଏକାଥରକେ ପଇଠ କରିବାର ପ୍ରଥମ ବିକଳ୍ପ ରହିଥିବା ବେଳେ ଦ୍ୱିତୀୟ ବିକଳ୍ପ ଭାବେ ବିନା ସୁଧରେ ତିନୋଟି କିସ୍ତିରେ ଅର୍ଥ ପଇଠ କରିପାରିବେ। ସେହିପରି ତୃତୀୟ ବିକଳ୍ପ ଭାବେ ଜଣେ ସାମଗ୍ରୀ ମୂଲ୍ୟକୁ ୧୨ଟି କିସ୍ତିରେ ମଧ୍ୟ ପଇଠ କରିବାର ବ୍ୟବସ୍ଥା ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସମସ୍ତ ସାମଗ୍ରୀ କ୍ରୟ କ୍ଷେତ୍ରରେ କୌଣସି ପ୍ରୋସେସିଂ ଫି ନିଆଯିବ ନାହିଁ କିମ୍ବା ଡାଉନ ପେମେଣ୍ଟ ଦେବାକୁ ପଡ଼ିବ ନାହିଁ। କେବଳ ସହଜ ଡିଜିଟାଲ କେୱାଇସି ବ୍ୟବସ୍ଥାରେ ଗ୍ରାହକଙ୍କୁ ଜିନିଷ କ୍ରୟ ପାଇଁ ଅନୁମୋଦନ ମିଳିବ। ଫ୍ଲିପକାର୍ଟର ୱେବସାଇଟକୁ ଯାଇ ଗ୍ରାହକମାନେ ନିଜର ପାନ ନମ୍ବର ଦାଖଲ କଲେ ଜଣେ ଗ୍ରାହକ କେତେ ପରିମାଣର ସାମଗ୍ରୀ କିଣିପାରିବେ ତାହା ଜାଣିପାରିବେ। ଏହାପରେ ମାତ୍ର ଦୁଇ ମିନିଟର କେୱାଇସି ପ୍ରୋସେସିଂ ବ୍ୟବସ୍ଥାରେ ଗ୍ରାହକମାନଙ୍କୁ ଅନୁମୋଦନ ମିଳିଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।