ଦିଲ୍ଲୀରୁ ମୁମ୍ବାଇ ବିମାନ ଭଡ଼ା ୬୦ ହଜାର !

ନୂଆଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀକୁ ଯାତ୍ରା କରିବା ଲାଗି ଇଚ୍ଛୁକ ଥିବା ବିମାନ ଯାତ୍ରୀମାନଙ୍କ ପାଇଁ ଖରାପ ଖବର। ଏହି ଦୁଇଟି ସହର ମଧ୍ୟରେ ଯାତ୍ରା କରିବାକୁ ହେଲେ ଏଣିକି ବିମାନ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ମୁମ୍ବାଇରେ ଗୋଟିଏ ରନୱେ ବନ୍ଦ ହେବା ସହିତ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ କାରଣରୁ ବିମାନ ଭଡ଼ାରେ ଏହି ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଏହି ବୃଦ୍ଧି କାରଣରୁ ସମସ୍ତ ବିମାନ କମ୍ପାନୀର ଭଡ଼ାରେ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ମୁମ୍ବାଇର ଉକ୍ତ ରନୱେର ମରାମତି ହେଉଥିବାରୁ ବିମାନ ଭଡ଼ା ବଢ଼ିବା ସାମାନ୍ୟ ବୋଲି କମ୍ପାନୀଗୁଡ଼ିକ ତରଫରୁ କୁହାଯାଇଛି। ମେକ୍ ମାଇଁ ଟ୍ରିପ୍ ପୋର୍ଟାଲ୍ରେ ନଭେମ୍ବର ୭ ପାଇଁ ଦିଲ୍ଲୀ-ମୁମ୍ବାଇର ରାଉଣ୍ଡ୍ ଟ୍ରିପ୍ ଭଡ଼ା ୬.୫ ଘଣ୍ଟାର ଷ୍ଟପ୍ ଓଭର୍ ସହିତ ୬୦ ହଜାର ଟଙ୍କା ରହିଛି। ସେହିପରି ୨ ଘଣ୍ଟାର ନନଷ୍ଟପ୍ ଫ୍ଲାଇଟ୍ ର ଭଡ଼ା ମଧ୍ୟ ୨୦ ହଜାର ଟଙ୍କା ଅତିକ୍ରମ କରିଛି। ମାତ୍ର ନଭେମ୍ବର ୧୫ ପାଇଁ ଟିକେଟ୍ ବୁକ୍ କରିବା ଲାଗି ଏହି ପୋର୍ଟଲରେ ସର୍ଚ୍ଚ କରିବା ଦ୍ୱାରା ପୂର୍ବଦିନଗୁଡ଼ିକର ଭଡ଼ା ବ୍ୟତୀତ ଅତିରିକ୍ତ ୩୫୦୦ ଟଙ୍କା ପ୍ରଦାନ କରିବାକୁ ହେବ ବୋଲି ଉଲ୍ଲେଖ କରାଯାଇଛି।

ନଭେମ୍ବର ୮ର ଭଡ଼ା ଅନୁସାରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ୧୫ ହଜାର ଟଙ୍କାରୁ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ପୂର୍ବରୁ ଏଥିପାଇଁ ବିମାନ ଭଡ଼ା ୩୨୦୦ ଟଙ୍କା ଥିଲା। ତେବେ ସହରରେ ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି କରାଯାଇଛି ବୋଲି ଜଣାପଡ଼ିଛି।