ହନୁମାନ ଜୟନ୍ତୀ ଅବସରରେ ବଜରଙ୍ଗ ମଣ୍ଡପ ପକ୍ଷରୁ ଝଣ୍ଡା ଶୋଭାଯାତ୍ରା

ଦେବଗଡ଼,ଏନ୍ଏନ୍ଏସ୍: ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସ୍ଥାନୀୟ ଗୋପାଳ ଜୀ ମନ୍ଦିର ବଜରଙ୍ଗ ମଣ୍ଡପ ପକ୍ଷରୁ ଝଣ୍ଡା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ଶ୍ରୀ ଗୋପାଳ ଜୀ ମନ୍ଦିର ପରିସରରୁ ବଜରଙ୍ଗ ମଣ୍ଡପର ସଦସ୍ୟ ମାନେ ବିଭିନ୍ନ ବାଦ୍ୟର ତାଳେ ତାଳେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପବିତ୍ର ଝଣ୍ଡାକୁ କାନ୍ଧରେ ବୋହି ସହରର ସମସ୍ତ ସାହି ରାସ୍ତା ଦେଇ ନଗର ପରିକ୍ରମା କରିଥିଲେ। ଶୋଭାଯାତ୍ରାକୁ ବିଭିନ୍ନ ସାହିରେ ଝୋଟି କଳସ ସହ ସ୍ୱାଗତ କରାଯାଇଥିବା ବେଳେ ପ୍ରତି ଛକରେ ପବିତ୍ର ଝଣ୍ଡାକୁ ଦୀପ ଧୂପ ସହ ପୂଜାର୍ଚନା କରାଯାଇଥିଲା। ସେହିପରି ବଜରଙ୍ଗ ମଣ୍ଡପ ସଦସ୍ୟ ମାନେ ପ୍ରତି ସାହି ଛକ ଠାରେ ଖଣ୍ଡା ଓ ଲାଠି ଚାଳନା କୌଶଳ ପ୍ରଦର୍ଶନ କରିଥିଲେ।