ଛତିଶଗଡ଼ ସୀମାନ୍ତରେ ଗୁଳିବିନିମୟ, ୫ ମାଓବାଦୀ ଗୁରୁତର

ନୂଆପଡ଼ା,ଏନ୍ଏନ୍ଏସ୍: ଜିଲ୍ଲାର ସୁନାବେଡା ଅଭୟାରଣ୍ୟ ଛତିଶଗଡ଼ ସୀମାନ୍ତ ନିଘଞ୍ଚ ଜଙ୍ଗଲରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୫ ଜଣ ମାଓବାଦୀ ଗୁରୁତର ଆହତ ହୋଇଥିବା ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।

ଏହି ଅପରେସନ ସମୟରେ ମାଓ କ୍ୟାମ୍ପକୁ ଦଖଲ କରାଯାଇ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଛି। ଗୁଇନ୍ଦା ବିଭାଗର ରିପୋର୍ଟକୁ ଆଧାର କରି ଚଳିତ ମାସ ୭ ତାରିଖ ଦିନ ଏସ୍‌ଓଜି ଯବାନଙ୍କ ୩ଟି ଟିମ ଏବଂ ସିଆର୍‌ପିଏଫ୍ ଯବାନଙ୍କ ଗୋଟେ ଟିମ୍ ଆଣ୍ଟିନକ୍ସଲ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ୯ ତାରିଖ ଦିନ ସକାଳ ସମୟରେ ଜଙ୍ଗଲ ଶୀର୍ଷ ସ୍ଥାନ ମଧ୍ୟରେ ୫୦ରୁ ୬୦ ଜଣ ସଶସ୍ତ୍ର ମାଓବାଦୀ କ୍ୟାମ୍ପକୁ ଠାବ କରିଥିଲା ଯବାନ।

ଯବାନ ସମ୍ପର୍କରେ ଖବର ପାଇ ନିଜକୁ ବଞ୍ଚାଇବା ପାଇଁ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ଯବାନ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଗୁଳିଚାଳନା ବେଳେ ୩ ଜଣରୁ ୪ ଜଣ ମାଓବାଦୀଙ୍କର ଏନକାଉଣ୍ଟର ହୋଇଥିବା ବେଳେ ୫ ଜଣ ମାଓବାଦୀ ଗୁରୁତର ଆହତ ହୋଇଥିବା ନୂଆପଡା ଏସ୍‌ପି ସୂଚନା ଦେଇଛନ୍ତି।

ସେପଟେ ତଳେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା କାରଣରୁ ଏନକାଉଣ୍ଟର ହୋଇଥିବା ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରିବାରେ ବିଫଳ ହୋଇଛନ୍ତି ଯବାନ। ପରେ ମାଓବାଦୀ କ୍ୟାମ୍ପକୁ ଦଖଲ କରି ବିପୁଳ ମାତ୍ରାର ମାଓ ସାମଗ୍ରୀ ଜବତ କରିଛି ଯବାନ। ଏନେଇ ନୂଆପଡା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।