ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟକୁ ପୂରିଲା ଏକବର୍ଷ: ‘ଫିଟ୍‌ନେସ୍ କି ଡୋଜ୍‌, ଆଧା ଘଣ୍ଟା ରୋଜ୍‌’

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ଇଣ୍ଡିଆ ମୁଭମେଣ୍ଟ୍‌ର ବର୍ଷ ପୂର୍ତ୍ତି ଅବସରରେ ଦେଶର ପ୍ରମୁଖ ଖେଳାଳି, ପାରା ଅଲିମ୍ପିକ୍ ଆଥ୍‌ଲେଟ୍‌, ଧାବକ ଓପୁଷ୍ଟିକର ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଅନେକ ଲୋକ ଭାବନ୍ତି ଫିଟ୍ ରହିବା କଷ୍ଟକର, କିନ୍ତୁ ମୋ ମତରେ ଏହା ଠିକ୍ ନୁହେଁ । ଏଥିଲାଗି ଟିକେ ଶୃଙ୍ଖଳାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟକର ଖାଦ୍ୟ ସହ ଦିନକୁ ଅଧଘଣ୍ଟା ବ୍ୟାୟାମ କଲେ ଜଣେ ଫିଟ୍ ରହିପାରିବ । ଏଥିଲାଗି ସେ ‘ଫିଟ୍‌ନେସ୍ କି ଡୋଜ୍‌, ଆଧା ଘଣ୍ଟା ରୋଜ୍‌’ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ସୁସ୍ଥ ରହିବା ଓ ଉତ୍ତମ ଖାଦ୍ୟ ଖାଇବା ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସବୁବେଳେ ତାଙ୍କ ମା’ ହଳଦୀ ଖାଇଛୁ କି ନାହିଁ କିପରି ପଚାରନ୍ତି ତାହା ମନେପକାଇ କହିଛନ୍ତି । ହଳଦୀର ଯେଉଁ ରୋଗ ପ୍ରତିରୋଧକ ଶକ୍ତି ରହିଛି ତାହା ଅତୁଳନୀୟ ବୋଲି ମୋଦୀ କହିଛନ୍ତି ।

ଫିଟ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ସୁସ୍ଥ ରହିବା ସକାଶେ ବ୍ୟାୟାମର ଆବଶ୍ୟକତା ଉପରେ ଫୋକସ୍ କରିବାକୁ ପ୍ରୋତ୍ସାହିତ କରାଯାଉଛି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ତାଙ୍କର ଫିଟନେସ୍ ପାଇଁ କେବଳ ଭାରତ ନୁହେଁ, ବିଶ୍ୱରେ ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇପାରିଛନ୍ତି । ଏହି ଅବସରରେ ମୋଦୀ କୋହଲିଙ୍କ ସହ ଟିମ୍ ଇଣ୍ଡିଆରେ ଫିଟ୍‌ନେସ୍ ଟେଷ୍ଟ୍ ପାଇଁ ବ୍ୟବହାର ହେଉଥିବା ୟୋ ୟୋ ଟେଷ୍ଟ୍ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଟେଷ୍ଟ୍ କ’ଣ ଓ ଏଥିରେ କେଉଁ କେଉଁମାନେ ପାସ୍ କରିଛନ୍ତି, ସେନେଇ ପ୍ରଧାନମନ୍ତ୍ରୀ କୋହଲିଙ୍କୁ ପଚାରିଥିଲେ । ଏପରି ପ୍ରଶ୍ନ ଶୁଣିବା ପରେ କୋହଲି ସ୍ମିତହସ ସହ କହିଥିଲେ ଯେ ବର୍ତ୍ତମାନ ସମୟରେ ଅନ୍ତର୍ଜାତୀୟ ସ୍ତରର ଫିଟନେସ୍ ଭାରତରେ ଉପଲବ୍ଧ ହେଉନାହିଁ । ତେଣୁ ଏହି ସ୍ତର ସମକକ୍ଷ ହେବା ସକାଶେ ୟୋ ୟୋ ଟେଷ୍ଟ୍ ଏକ ଉତ୍ତମ ମାଧ୍ୟମ । ଏହା ଏକ ଅତ୍ୟନ୍ତ କଷ୍ଟସାଧ୍ୟ ଫିଟନେସ୍ ଟେଷ୍ଟ । କିନ୍ତୁ ଅନ୍ତର୍ଜାତୀୟ ସ୍ତରର ଖେଳାଳିମାନଙ୍କ ସହ ଫିଟନେସ୍ ସ୍ତରରେ ସମକକ୍ଷ ହେବା ସକାଶେ ଏହାର ନିହାତି ଆବଶ୍ୟକତା ରହିଛି ।

ଦଳର ଅଧିନାୟକ ଭାବେ ସର୍ବପ୍ରଥମେ ମୁଁ ଏହି ଟେଷ୍ଟ୍ ଦେଇଥାଏ । ଯଦି ମୁଁ ଏହି ଟେଷ୍ଟ୍‌ରେ ବିଫଳ ରହେ, ତା’ହେଲେ ଅଧିନାୟକ ହୋଇଥିଲେ ମଧ୍ୟ ମୋତେ ଦଳରେ ସ୍ଥାନ ମିଳିବ ନାହିଁ । ତେଣୁ ଅଧିନାୟକ ଭାବେ ମୋତେ ଅନ୍ୟମାନଙ୍କ ପାଇଁ ପ୍ରୋତ୍ସାହନର ଉତ୍ସ ହେବାକୁ ପଡ଼ିଥାଏ । ମୁଁ ମଧ୍ୟ ବିଗତ ଦିନରେ ହୋଇଥିବା ସମସ୍ତ ୟୋ ୟୋ ଟେଷ୍ଟ୍‌ରେ ସଫଳତାର ସହ ପାସ୍ କରିଛି ବୋଲି କୋହଲି କହିଥିଲେ । ସେ ଆହୁରି କହନ୍ତି ଟେଷ୍ଟ କ୍ରିକେଟ ଖେଳିଲା ବେଳେ ଆମେ ବେଳେ ବେଳେ କ୍ଳାନ୍ତ ହୋଇପଡ଼ୁ । କିନ୍ତୁ ଫିଟ୍‌ଥିଲେ ଏହି ସମସ୍ୟାକୁ ଦୂର କରାଯାଇପାରୁଛି । ଏହା ମଧ୍ୟ ଦେହକୁ ସୁସ୍ଥ ଓ ସତେଜ ରଖୁଛି । ଏଥିଲାଗି ଆବଶ୍ୟକ ଖାଦ୍ୟ ଖାଇବା ଜରୁରୀ । ମୋ କ୍ରିକେଟ କ୍ୟାରିୟରର ଆରମ୍ଭରେ ସୁସ୍ଥ ରହିବା ଖାଦ୍ୟ ଖାଇପାରି ନଥିଲି । ଏବେ କିନ୍ତୁ ସମସ୍ତ ନିୟମକୁ ପାଳନ କରୁଛି ଓ ଫିଟ ରହୁଛି ବୋଲି କହିଥିଲେ ଏହି ଭାରତୀୟ ଦଳର ଅଧିନାୟକ ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ମଧ୍ୟ ଜମ୍ମୁ-କଶ୍ମୀର ମହିଳା ଫୁଟବଲ୍ ଦଳର ଗୋଲକିପର୍ ୨୫ ବର୍ଷୀୟା ଅଫଶାନ୍ ଆଶିକ୍‌ଙ୍କ ସହ ଆଲୋଚନା କରିଛନ୍ତି ।

ଗତ ୨୦୧୭ରେ ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ଼ ଘଟଣାରେ ଚର୍ଚ୍ଚାର ପରିସରକୁ ଆସିଥିବା ଅଫଶାନ୍ ଗତ ବର୍ଷ ଇଣ୍ଡିଆନ୍ ୱିମେନ୍ସ ଲିଗ୍‌ରେ ଏଫ୍‌ସି କୋହ୍ଲାପୁର ସିଟି ପକ୍ଷରୁ ଖେଳିଥିଲେ । ତା’ଛଡ଼ା ସେ ଶ୍ରୀନଗରରେ ମଧ୍ୟ ଯୁବ ଫୁଟବଲର୍‌ଙ୍କୁ ଟ୍ରେନିଂ ଦେଉଛନ୍ତି । ମୋଦୀଙ୍କ ସହ ଆଲୋଚନା ବେଳେ ଅଫଶାନ୍ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ବୋଲି କହିଥିଲେ । ସେ କହିଥିଲେ ଯେ ଧୋନିଙ୍କ ପରି କୁଲ୍ ରହିବାକୁ ସବୁବେଳେ ସେ ଉଦ୍ୟମ କରିଆସିଛନ୍ତି । ଏଥିପାଇଁ ସେ ପ୍ରତିଦିନ ଭୋର୍ ସାଢ଼େ ୫ଟା ବେଳେ ଧ୍ୟାନରେ ବସନ୍ତି । ଏହା ତାଙ୍କୁ ମାନସିକ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବା ସହ ସ୍ଥିର ଓ ଧୀରଚିତ୍ତରେ କାମ କରିବା ସକାଶେ ପ୍ରେରଣା ଦେଉଛି ବୋଲି ଅଫଶାନ୍ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପାରା ଅଲିମ୍ପିକ୍ ଆଥ୍‌ଲେଟ୍ ଦେବେନ୍ଦ୍ର ଝଝରିଆ, ମଡେଲ ଓ ଧାବକ ମିଲିନ୍ଦ ସୋମନ ଓ ପୁଷ୍ଟିକର ବିଶେଷଜ୍ଞ ଋତୁଜା ଦିୱେକରଙ୍କ ସହ ଆଲୋଚନା କରିଥିଲେ ।