ଭାସମାନ ପଞ୍ଜୁରି ଭିତରେ ମାଛ ଚାଷ, ଉପକୃତ ହେବେ ୫ଶହରୁ ଅଧିକ ମତ୍ସ୍ୟଜୀବୀ

ମାଲକାନଗିରି,ଏନ୍ଏନ୍ଏସ୍: ଓଡ଼ିଶାରେ ପ୍ରଥମଥର ପାଇଁ ଭାସମାନ ପଞ୍ଜୁରି ଭିତରେ ମାଛ ଚାଷର ଶୁଭ ଉଦଘାଟନ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସଦରମହକୁମା ସତୀଗୁଡ଼ା ଜଳଭଣ୍ଡାରରେ ଏ ଆଧୁନିକ ପ୍ରଣାଳୀ ମାଛ ଚାଷ ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛି। ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ୫୦ ହଜାର ଟଙ୍କାର ଏହି ଯୋଜନା ଆରମ୍ଭ ହୋଇଛି। ସତୀଗୁଡ଼ା ଜଳଭଣ୍ଡାରର ମଧ୍ୟ ଭାଗରେ ଭାସମାନ ୧୦ଟି ପଞ୍ଜୁରି କରାଯାଇଛି। ପ୍ରତ୍ୟେକ ପଞ୍ଜୁରିର ଲମ୍ବା ୫ ମିଟର ଏବଂ ଓସାର ୫ ମିଟର ଓ ଗଭୀର ୫ ମିଟର ରହିଛି। ଏହି ଭାସମାନ ପଞ୍ଜୁରି ଗୋଟିଏ ସ୍ଥାନରେ ସଂଯୋଗ କରାଯାଇ ପ୍ରତି ପଞ୍ଜୁରି ଚତୁଃପାଶ୍ୱର୍ରେ ଜାଲବାଡ଼ କରାଯାଇଛି। ଏହି ଭାସମାନ ପଞ୍ଜୁରିରେ ୧୦ଟି କୋଠରିରେ ୨୦ହଜାର ମାଛ ଯାଆଁଳ ଛାଡ଼ିଛନ୍ତି।

ଏହାକୁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଶୁଭ ଉଦ୍ଘାଟନ କରିବାସହ ଏହି କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟ, ଭୁବନେଶ୍ୱର ସାଧାରଣ ପରିଚାଳକ ସୁରେନ୍ଦ୍ର କୁମାର ପାତ୍ର, ଜୟପୁରର ମତ୍ସ୍ୟ ଉପନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା, ମାଲକାନଗିରି ଜିଲ୍ଲା ମତ୍ସ୍ୟ ଅଧିକାରୀ ହେମନ୍ତ କୁମାର ଦାସ, ସତୀଗୁଡ଼ା ମତ୍ସ୍ୟ ସୋସାଇଟି ସଭାପତି ମାଧବ ମାଢ଼ି, ସମ୍ପାଦକ ସୁଶେନ ମଣ୍ଡଳ ଏବଂ ସୋସାଇଟିର ଶହେରୁ ଊଦ୍ଧ୍ୱର୍ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ କଟକ ଏବଂ ଭୁବନେଶ୍ୱରରୁ ଆସିଥିବା ପଦାଧିକାରୀମାନେ ସୋସାଇଟି ସଭ୍ୟମାନଙ୍କୁ ମତ୍ସ୍ୟଚାଷ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ।

ଏହି ମାଛ ବଡ଼ ହେଲେ ସତୀଗୁଡ଼ା ଜଳଭଣ୍ଡାର ମତ୍ସ୍ୟଜୀବୀ ସୋସାଇଟି ଗୋଟିଏ ବର୍ଷରେ ୧୫ଲକ୍ଷ ଟଙ୍କା ଲାଭ ପାଇବେ। ଏଥିପାଇଁ ଏହି ୭ ଲକ୍ଷ ୫୦ହଜାର ଟଙ୍କାରେ ଭାସମାନ ପଞ୍ଜୁରି ନିର୍ମାଣ, ମାଛ ଯାଆଁଳ, ମାଛ ନିମନ୍ତେ ଖାଦ୍ୟପେୟ, ଭାସମାନ ପଞ୍ଜୁରିରେ ମାଛମାନଙ୍କ ସୁରକ୍ଷା ଏବଂ ତାଙ୍କ ଦାୟିତ୍ୱ ନେବାପାଇଁ ଶ୍ରମିକମାନଙ୍କ ମଜୁରି ବାବାଦରେ ଖର୍ଚ୍ଚ କରାଯାଇଛି। ଆଗାମୀ ଦିନରେ ୨ଶହ କୋଠରୀ ବିଶିଷ୍ଟ ୧୦ ଭାସମାନ ପଞ୍ଜୁରି ନିର୍ମାଣ କରାଯାଇ ସେଥିରେ ମାଛ ଜାଆଁଳ ଛଡ଼ାଯିବ। ଫଳରେ ସତୀଗୁଡ଼ା ଜଳଭଣ୍ଡାରରେ ୫ଶହରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ ସେମାନଙ୍କର ଜୀବିକା ନିର୍ବାହ କରିବା ସହ ଆର୍ôଥକ ମାନଦଣ୍ଡରେ ଉନ୍ନତି ଆଣିପାରିବେ।

ଏଥିସହ ମାଲକାନଗିରି ସହରରେ ବାହାର ରାଜ୍ୟରୁ ମାଛ ଆସିବ ନାହିଁ। ଖାଉଟିମାନେ ଆସନ୍ତା ବର୍ଷ ଠାରୁ ପ୍ରଚୁର ପରିମାଣରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଏବଂ ସତୀଗୁଡ଼ା ଜଳଭଣ୍ଡାରରେ ମାଛ ପାଇପାରିବେ। ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ମତ୍ସ୍ୟଜୀବୀମାନେ ଧରିଥିବା ମାଛ କିପରି ଜିଲ୍ଲା ସଦର ମହକୁମା ଏବଂ ଅନ୍ୟ ରାଜ୍ୟକୁ ଯିବ ସେଥିପାଇଁ ମତ୍ସ୍ୟ ବିଭାଗ ତରଫରୁ ଯାନବାହାନର ବ୍ୟବସ୍ଥା କରାଯାଇଛି।

ପ୍ରକାଶ ଥାଉ କି, ସ୍ୱାଭିମାନ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ବିକାଶ ନିମନ୍ତେ ୧ଶହ କୋଟି ଟଙ୍କା ଘୋଷଣା କରିଥିବା ବେଳେ ସେଥିମଧ୍ୟରୁ ୧ କୋଟି ଟଙ୍କାର ମାଛ ଯାଆଁଳ ଛଡ଼ାଯିବା ଆରମ୍ଭ ହୋଇଯାଇଛି। ସତୀଗୁଡ଼ା ଜଳଭଣ୍ଡାରରେ ମତ୍ସ୍ୟଜୀବୀ ସୋସାଇଟି ଗୋଟିଏ ବର୍ଷରେ ସାଢ଼େ ୭ଲକ୍ଷ ଟଙ୍କା ଲାଭ ପାଇପାରିବେ।