୩୭୦ ଉଚ୍ଛେଦ ପରେ ଜୈଶର ପ୍ରଥମ ଆକ୍ରମଣ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ହିଂସାର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ଜୈଶ ଏ ମହମ୍ମଦର ଆତଙ୍କବାଦୀ ଜାମ୍ମୁକାଶ୍ମୀର ପୁଲୱାମାରେ ୨ଜଣଙ୍କୁ ଅପହରଣ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି।
ସୋମବାର ପୁଲୱାମା ଜିଲ୍ଲାର ତ୍ରାଲର ବନକ୍ଷେତ୍ରରୁ ରାଜୈାରୀ ଜିଲ୍ଲା ନିବାସୀ ଅବଦୁଲ କଦୀର କୋହଲୀ ଓ ଶ୍ରୀନଗରର ଖୋନମୋହ ନିବାସୀ ମଞ୍ଜୁର ଅହମ୍ମଦଙ୍କୁ କିଛି ବନ୍ଧୁକଧାରୀ ଅପହରଣ କରିନେଇଥିଲେ । ସୋମବାର ରାତି ୭ଟା ୩୦ରେ ଏହି ଘଟଣାଟି ଘଟିଥିବା ଜାମ୍ମୁ ପୁଲିସ ପକ୍ଷରୁ ସୂଚନା ମିଳିବାପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେହି ସମୟରେ ବନକ୍ଷେତ୍ରରେ କଦୀର କୋହଲୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଜାମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ଥରୀୟ ବୈଠକ ଡାକିଛନ୍ତି। ଧାରା ୩୭୦ ଉଚ୍ଛେଦ କାରଣରୁ ୨୨ଦିନ ହେବ ଜାମ୍ମୁକାଶ୍ମୀରରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ବଜାର, ସ୍କୁଲ କଲେଜ ଓ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଥିଲା ।