କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ: ତାଳଦଣ୍ଡା ରାସ୍ତାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ରାଜ୍ୟ By Nitidin On Oct 10, 2020 Share ଭୁବନେଶ୍ୱର,କଟକ,ଏନ୍ଏନ୍ଏସ୍: ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ୱରୂପ ଆଜି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୭ ମାସ ସମୟ ମଧ୍ୟରେ ଶେଷ ହୋଇଥିବା ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରାସ୍ତା ଦ୍ୱାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଏହି ନୂଆ ରାସ୍ତାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା, ଯାହା କି ଯାତାୟାତରେ ଅସୁବିଧା ସୃଷ୍ଟି କରିଆସୁଛି। ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନସାଧାରଣଙ୍କ ମତାମତକୁ ଭିତ୍ତିକରି ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ରାସ୍ତାକୁ ଆଗାମୀ ଦିନରେ ଆହୁରି ସଂପ୍ରସାରିତ କରାଯିବ ଏବଂ ଏଥିପାଇଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବରେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ତାର ଉଚ୍ଚକୋଟୀର ସେବା ପାଇଁ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ବହୁ ଲୋକ ଆସିଥାନ୍ତି। ତେଣୁ ଏହି ମହାନ ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ନେଇଛନ୍ତି। ଏ ଦିଗରେ ତାଳଦଣ୍ଡାର କେନାଲ ନୂଆ ରାସ୍ତା ପ୍ରଥମ କାମ ଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେହିପରି ଆଗାମୀ ଦିନରେ କଟକ ସହରକୁ ଆହୁରି ସୁନ୍ଦର ଭାବରେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ନୂଆ ରାସ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ଭାଷଣରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥି ସହିତ ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିସନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଏବଂ ପୂର୍ତ୍ତ ସଚିବ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। Share