ୟୁଏଇରେ ପ୍ରଥମ ଅନ୍ତର୍ଜାତୀୟ ହବ୍ ଖୋଲିବ ସ୍ପାଇସଜେଟ

ଆବୁଧାବି,ଏଜେନ୍ସି: ଶସ୍ତାରେ ସେବା ଉପଲବ୍ଧ କରୁଥିବା ବିମାନ କମ୍ପାନୀ ସ୍ପାଇସଜେଟ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏହାର ଏକ ଅନ୍ତର୍ଜାତୀୟ ହବ୍ ଖୋଲିବା ନେଇ ଯୋଜନା ଚଳାଇଛି। ବିଦେଶରେ ସ୍ପାଇସଜେଟର ଏହା ପ୍ରଥମ ହବ୍ ରୂପେ ପରିଚିତ ହେବ। କମ୍ପାନୀ ଏହାର ବ୍ୟବସାୟକୁ ଅନ୍ତର୍ଜାତୀୟ ସ୍ତରରେ ସମ୍ପ୍ରସାରଣ କରିବା ଲାଗି ଏହି ପଦକ୍ଷେପ ନେଇଛି ବୋଲି କମ୍ପାନୀର ଅଧିକାରୀ ଏବଂ ରାସ୍ ଅଲ୍– ଖାଇମା’ରଏମିରେଟ୍ ତରଫରୁ ଏ ସମ୍ବନ୍ଧରେ ଘୋଷଣା କରାଯାଇଛି। ଏଥିସହିତ ସମ୍ପ୍ରସାରଣ ପାଇଁ ଏକ ବୁଝାମଣା ସ୍ୱାକ୍ଷର କରାଯାଇଛି ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।

ଏହି ବୁଝାମଣା ଅନ୍ତର୍ଗତ ନୂଆଦିଲ୍ଲୀ ଏବଂ ୟୁଏଇର ରାସ୍ ଅଲ୍– ଖାଇମା’ ମଧ୍ୟରେ ଡିସେମ୍ବରରୁ ବିମାନ ସେବା ଆରମ୍ଭ କରାଯିବ ଏବଂ ଏହାପରେ ସ୍ପାଇସଜେଟ ୟୁରୋପରେ ଯାତ୍ରୀମାନଙ୍କୁ ନେବା ପାଇଁ ମଧ୍ୟ ଯୋଜନା କରୁଛି। ଘରୋଇ ଯାତ୍ରୀ ସଂଖ୍ୟା ଦୃଷ୍ଟିରୁ ସ୍ପାଇସଜେଟ ହେଉଛି ଦେଶର ଦ୍ୱିତୀୟ ସର୍ବବୃହତ୍ ବିମାନ କମ୍ପାନୀ। ଗୁରଗାଓଁ ସ୍ଥିତ ଏହି କମ୍ପାନୀ ୧୧୧ଟି ବୋଇଂ ଓ ବୋମ୍ବାର୍ଡିଅର୍ ବିମାନର ପରିଚାଳନା କରୁଥିବାବେଳେ ଦେଶର ୫୦ରୁ ଊର୍ଦ୍ଧ୍ୱ ସ୍ଥାନ ଏବଂ ଦୁବାଇ ଭଳି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସେବା ଯୋଗାଉଛି।