ଇ-ବିଧାନସଭା ପାଇଁ ପ୍ରଥମ କିସ୍ତି ଅନୁଦାନ ମଞ୍ଜୁର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟକୁ ବିନା କାଗଜରେ ସମ୍ପନ୍ନ କରିବା ପାଇଁ କେନ୍ଦ୍ର ପାର୍ଲିଆମେଣ୍ଟାରୀ ବିଭାଗ ତରଫରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡ଼ିଶା ଏବଂ ପଞ୍ଜାବ ବିଧାନସଭା ଏହା କାର୍ଯ୍ୟକାରୀ କରିଛନ୍ତି ଏବଂ ଏଥି ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି। ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏଥି ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ ‘ନେଭା’ ପାଇଁ କେନ୍ଦ୍ର ପାର୍ଲିଆମେଣ୍ଟାରୀ ବିଭାଗକୁ ୧୨ କୋଟି ୫୨ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ପ୍ରେରଣ କରାଯାଇଥିଲା।

ବିଭାଗ ତରଫରୁ ୮ କୋଟି ୫୨ ଲକ୍ଷ ୩୬ ହଜାର ୬୪୨ ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ଏଥି ନିମିତ୍ତ ୧ କୋଟି ୨ ଲକ୍ଷ ୯୬ ହଜାର ୪୦୮ ଟଙ୍କାର ପ୍ରଥମ କିସ୍ତି ଅର୍ଥ ଆବଣ୍ଟିତ ହୋଇଛି। ଏହି ମିଶନ ମୋଡ୍‌ କାର୍ଯ୍ୟକ୍ରମକୁ ସମ୍ପନ୍ନ କରିବା ପାଇଁ ଇତି ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛି। ୱାଇ-ଫାଇ, ଲୋକାଲ୍‌ ଅନ୍‌ ନେଟ‌ୱାର୍କ ଏବଂ ଭିଡ଼ିଓ କନ‌ଫରେନ୍ସିଂ କାର୍ଯ୍ୟ ଇତି ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପ୍ରକାଶଯୋଗ୍ୟ ଯେ, ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୬୦ ଶତକଡ଼ା ଏବଂ ରାଜ୍ୟ ସରକାରଙ୍କ ତରଫରୁ ୪୦ ଶତକଡ଼ା ଅର୍ଥ ବିନିଯୋଗ କରାଯିବ।