କର୍ତ୍ତବ୍ୟ ଆଗ, ବିବାହ ପଛ… ଜିଲ୍ଲା By Nitidin Last updated Apr 26, 2020 Share ଋାୟଗଡ଼ା,ଏନ୍ଏନ୍ଏସ୍: ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇ ଥିବାବେଳେ ଏହି ଯୁଦ୍ଧରେ ବିବାହକୁ ପଛରେ ପକାଇ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି ରାୟଗଡ଼ାର ୨ ପୁଲିସ ଅଧିକାରୀ। ସେମାନେ ହେଲେ ରାୟଗଡ଼ା ସଦର ଥାନରେ କର୍ତ୍ତବ୍ୟରତ ମହିଳା ସବ୍ ଇନ୍ସପେକଟର ଜୟସ୍ମିତା ବେହେରା ଏବଂ ସବ୍ ଇନ୍ସପେକ୍ଟର ମାସନ କୁମାର ସାହୁ। ଜୟସ୍ମିତା ବେହେରାଙ୍କ ଘର ପୁରୀ ଜିଲ୍ଲା ବାଁ ବରଡା ଗ୍ରାମରେ। ଜୟସ୍ମିତା ୩ ବର୍ଷ ତଳୁ ପୁରୀ ଜିଲ୍ଲା ହରେକୃଷ୍ଣପୁର ଗ୍ରାମର ରାଜେଶ କୁମାର ପ୍ରଧାନଙ୍କୁ ଭଲ ପାଇ ବସିଥିଲେ। ରାଜେଶ ଏଲଏଣ୍ଡଟି ଘରୋଇ କମ୍ପାନିରେ କାର୍ଯ୍ୟରତ। ପରେ ଉଭୟ ପରିବାର ସମ୍ମତି ପରେ ନିର୍ବନ୍ଧ ସାରି ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ଚଳିତ ମାସ ୨୭ ତାରିଖକୁ। ହେଲେ ଏହି ସମୟରେ ଜୟସ୍ମିତା ନିଜ କର୍ତ୍ତବ୍ୟ ଆଗରେ ବଳି ପକାଇ ଦେଇଛନ୍ତି ବିବାହ ତାରିଖକୁ। କରୋନା ଯୁଦ୍ଧ ସରିବା ପରେ ବିବାହ କରିବାର ଦୃଢ ନିଷ୍ପତି ନେଇଛନ୍ତି ଜୟସ୍ମିତା। ସେହିପରି ଆଉ ଜଣେ ଯୁବ ସବ୍ ଇନ୍ସପେକ୍ଟର ମାସନ କୁମାର ସାହୁ। ଯାଜପୁର ଜିଲ୍ଲା କାଇମାଟିଆ ବାସିନ୍ଦା ମାନସ ଚଳିତ ମାସ ୧୮ରେ ନିର୍ବନ୍ଧ ହୋଇ ୨୬ ତାରିଖରେ ଯାଜପୁର ଜିଲ୍ଲାର ମଲ୍ଲିକାପୁର ଗାଁ’ର ଶ୍ରୀୟା ସ୍ମିତା ପାଣିଙ୍କ ସହ ବିବାହ ପାଇଁ ଦିନ ସ୍ଥିର ହୋଇଥିଲା। ସେ ମଧ୍ୟ ଏହି କରୋନା ଯୁଦ୍ଧ ଲଢ଼ିବାକୁ ଆଗେଇ ଆସିବା ସହ ନିଜ ବାହାଘରକୁ ଟାଳି ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଆଗକୁ ମଣିଷ ସମାଜ ବଞ୍ଚିଲେ ବିବାହ ପାଇଁ ଅନେକ ସୁଯୋଗ ମିଳିବ। ରାଜ୍ୟରୁ କରେନା ବିପତି ଟଳିବା ପରେ ରୀତିନିତି ଅନୁଯାୟୀ ପୁଣି ଏକ ତାରିଖରେ ବିବାହ କରିବେ ବୋଲି ସେ କହିଛନ୍ତି। ତେବେ ଏହି ଦୁଇ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ରାୟଗଡା ଏସପି ସର୍ବଣା ବିବେକ ଏମ୍ ଗର୍ବିତ ବୋଲି କହିଛନ୍ତି। Share