ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପ୍ରଥମ କରୋନା ରୋଗୀ। ଯାହାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି। କରୋନା ରୋଗୀ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଗତ ଦୁଇ ହେବ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଘର ଭୁବନେଶ୍ବରରେ ବୋଲି କୁହାଯାଉଛି। ଯୁବକଙ୍କ ବୟସ ପାଖାପାଖି ୩୧ ବର୍ଷ ହୋଇଥିବାବେଳେ ସେ ୯ ଦିନ ତଳେ ଇଟାଲିରୁ ଫେରିଥିଲେ ଏବଂ ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ଶନିବାର ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା‌ ପାଇଁ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ‌ରିପୋର୍ଟ‌ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍‌-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ।