କେନ୍ଦ୍ରାପଡା,ଏନ୍ଏନ୍ଏସ୍: ବଦଳୁଛି ସରକାରୀ ଶିକ୍ଷା ବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ ମାନର ଶିକ୍ଷା ସାଙ୍ଗକୁ ପ୍ରାକ୍ଟିକାଲ ଜ୍ଞାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରକ୍ରିୟା। ଜିଲ୍ଲାରେ ଏବେ ସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ ଠାରୁ ପାଠପଢ଼ାରେ ଆଗରେ ରହିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏଥିରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ।
ସୌର ଜଗତର ବିଭିନ୍ନ ଗ୍ରହ ନକ୍ଷତ୍ରଙ୍କ ବିଷୟ କେବଳ ପଢ଼ା ବହିରେ ସୀମିତ ନରହି ଏବେ ଛାତ୍ରଛାତ୍ରୀ ଅବିକଳ ଦୃଶ୍ୟ ଦେଖିବେ ଏବଂ ଉପଲବ୍ଧ କରିବେ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଆଷ୍ଟ୍ରୋଲ୍ୟାବ। କେନ୍ଦ୍ରାପଡ଼ା ଜିଲ୍ଲା ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ, ନିକିରାଇରେ ଆରମ୍ଭ ହୋଇଛି ପ୍ରଥମ ଆର୍ଯ୍ୟଭଟ୍ଟ ଆଷ୍ଟ୍ରୋଲ୍ୟାବ। ଏହି ଲ୍ୟାବରେ ଗ୍ରହ, ଉପଗ୍ରହ, ନକ୍ଷତ୍ର ମାନଙ୍କ ସମ୍ପର୍କରେ ବିଭିନ୍ନ ଶିକ୍ଷା ଦିଆଯିବା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ବିଦ୍ୟାଳୟରେ ବିଜ୍ଞାନାଗାର ସମ୍ବନ୍ଧୀୟ କୌଣସି ଉପକରଣ ନଥିବା ବେଳେ ଏହି ଲ୍ୟାବଟି ସେମାନଙ୍କୁ ଶୈକ୍ଷିକ ଦିଗରେ ଅନେକ ସହଯୋଗ କରିବ ବୋଲି କହିଛନ୍ତି ଜଣେ ଛାତ୍ର।