କନ୍ଧମାଳ,ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଜଣାଶୁଣା ସମାଜସେବୀ ତଥା ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁରଙ୍କୁ ଦୀର୍ଘ ୨ ମାସ ପରେ ଜାମିନ ମିଳିଛି । ଜେଲରୁ ମୁକୁଳିବା ପରେ ବିଶ୍ୱରଞ୍ଜନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ତାଙ୍କ ସମର୍ଥକମାନେ ପାଛୋଟି ନେଇଛନ୍ତି । ଫୁଲବାଣୀ ଜିଲ୍ଲା କାରାଗାରରୁ ଫିରିଙ୍ଗିଆ ପହଞ୍ଚିବା ପରେ ଫିରିଙ୍ଗିଆ ବ୍ଲକ ଛକରୁ ପାଛୋଟି ନେବା ସହ ବାଜା ବାଦ୍ୟ ସହ ସ୍ୱାଗତ କରିଛନ୍ତି । ଆଗାମୀ ଦିନରେ ଅଞ୍ଚଳର ଗରିବ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ସେମାନଙ୍କ ଉନ୍ନତି ପାଇଁ ସଂଗ୍ରାମ ଜାରି ରହିବ ବୋଲି ବିଶ୍ୱରଞ୍ଜନ କହିଛନ୍ତି ।
ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବରେ ପୁଲିସ ବିଶ୍ୱରଞ୍ଜନ କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଫିରିଙ୍ଗିଆ ଅଞ୍ଚଳର ସରଳ ଆଦିବାସୀଙ୍କୁ ଗଞ୍ଜେଇ ଧରିବା ନାଁରେ ପୁଲିସ ଅତ୍ୟାଚାର କରିବା ଓ ମିଛ ଗଞ୍ଜେଇ ମାମଲାରେ ଅଞ୍ଚଳର ଆଦିବାସୀଙ୍କୁ କୋର୍ଟ ଚାଲାଣ କରୁଥିବା ନେଇ ଦୀର୍ଘଦିନ ଧରି ଏହି ଯୁବନେତା ଜଣକ ପ୍ରତିବାଦ କରିବା ସହ ସଂଗ୍ରାମ ଜାରି ରଖିଥିଲେ । ଗତ କିଛିଦିନ ତଳେ ଫିରିଙ୍ଗିଆ ଥାନାଧିକାରୀଙ୍କ ସହ ଥାନାରେ ୨ଜଣ ଗୃହରକ୍ଷୀ ରାତି ଅଧିଆ ପୁଲିସ ଗାଡ଼ିରେ ଥାନାରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଏହି ଯୁବନେତା ବିଶ୍ୱରଞ୍ଜନ କହଁର ପ୍ରତିବାଦ କରିବା ସହ ସମ୍ପୃକ୍ତ ଗାଡ଼ିଟିକୁ ଅଟକାଇ ଥିଲେ । ଏହି ଘଟଣାକୁ ନେଇ ପୁଲିସ ବିରୁଦ୍ଧରେ ଅଞ୍ଚଳର ଶତାଧିକ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଥିଲେ । ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଯାଇଥିବା ପୁଲିସ ଅଧିକାରୀଙ୍କୁ ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଛି ମାଡ଼ ମାରିବା ସହ ଫିରିଙ୍ଗିଆ ଥାନାକୁ ପୋଡ଼ି ଦେଇଥିଲେ । ପରେ ପୁଲିସ ଆନ୍ଦୋଳନର ନେତୃତ୍ୱ ନେଇଥିବା ଏହି ଯୁବ ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।