ପୁଲିସ-ମାଓ ଗୁଳି ବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡା,ଏନ୍ଏନ୍ଏସ୍: ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ। ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡା ଏସ୍‌ପି। ଏହି ସମୟରେ ଜୀଵନ ରକ୍ଷା ନେଇ ମାଓବାଦୀ ଛତ୍ରଭଙ୍ଗ ହୋଇଥିବାବେଳେ ମାଓ କ୍ୟାମ୍ପକୁ ଦଖଲ କଲେ ଯବାନ। ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ନୂଆପଡା ଏସ୍‌ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।

ସୂଚନାଅନୁସାରେ, ଗତ କିଛି ଦିନ ପୂର୍ବେ ନୂଆପଡା ପାଟଦରା ସଂରକ୍ଷିତ ଜଙ୍ଗଲରେ ୩ ଜଣ ସିଆର୍‌ପିଏଫ୍‌ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ। ସେହି ଦିନଠାରୁ ନୂଆପଡା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଯବାନ ପାଲଟା ଜବାବ ଦେବା ପାଇଁ ସକ୍ରିୟ ହୋଇଥିଲା ନୂଆପଡା ଏସ୍‌ଓଜି, ଡିଭିଏଫ୍‌, ସିଆର୍‌ପିଏଫ୍‌ ଯବାନ। ଗତକାଲି(ଶୁକ୍ରବାର) ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ପାଟଦରା ସଂରକ୍ଷିତ ଜଙ୍ଗଲରେ କମିଙ୍ଗ ଅପରେସନ ବେଳେ ଏକ ସଶସ୍ତ୍ର ମାଓ କ୍ୟାମ୍ପ ସହିତ ଯବାନଙ୍କ ମୁହାଁମୁହିଁ ହୋଇଥିଲା। ଉଭୟ ମାଓବାଦୀ ଯବାନ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଛି। ଯବାନ ପକ୍ଷରୁ ପ୍ରାୟ ୨୮୪ ରାଉଣ୍ଡ ଗୁଳି ଫାଇରିଂ କରାଯାଇଛି। ପରେ ମାଓବାଦୀମାନେ କ୍ୟାମ୍ପ ଛାଡି ଛତ୍ର ଭଙ୍ଗ ଦେଇଥିବାବେଳେ ଗୋଟିଏ ଏୟାର ଗନ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।