ପିପିଲି,ଏନ୍ଏନ୍ଏସ୍: ପୁରୀ ଜିଲା ସାତସଙ୍ଖ ସ୍ଥିତ ଜ୍ୟୋତି କଏର ଓ ନାସ୍ପାଲ କଏର ନାମକ ଦୁଇଟି କତା ଫ୍ୟାକ୍ଟ୍ରିରେ ଗତକାଲି ରାତିରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି। ଫ୍ୟାକ୍ଟ୍ରିରୁ ଧୁଆଁ ବାହାରୁଥିବା ନେଇ ପଡୋଶୀ ଫ୍ୟାକ୍ଟ୍ରିର ତୃତୀୟ ମହଲାରେ ରହୁଥିବା ମାଲିକଙ୍କୁ ଜଣାଇଥିଲେ। ମାଲିକ ଓ ତାଙ୍କ ପରିବାର ଲୋକ ପ୍ରାଣ ବିକଳରେ ଘରୁ ବାହାରି ପଳାଇ ଆସିଥିଲେ। ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ସାକ୍ଷୀଗୋପାଳ ଓ ପିପିଲିରୁ ଦମକଳ ବାହିନୀ ଆସି ନିଆଁ ଲିଭାଉଥିଲେ। କିନ୍ତୁ ଫ୍ୟାକ୍ଟ୍ରିରେ ବହୁପରିମାଣର କତା ମହଜୁଦ ଥିବା କାରଣରୁ ନିଆଁ ସହଜରେ ଲିଭିନଥିଲା। ସକାଳୁ ଉକ୍ତ ସ୍ଥାନରେ ପୁରୀ ସର୍କଲ ଡେପୁଟି ଫାଆର ଅଫିସର ବିଚିତ୍ର କୁମାର ପଣ୍ଡା ଏବଂ ପୁରୀର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି।
ଦୁଇଟି କତା ଫ୍ୟାକ୍ଟ୍ରିର ପ୍ରବେଶ ଓ ପ୍ରସ୍ତାନ ପଥ ଗୋଟିଏ ହୋଇଥିବାରୁ ନିଆଁଲିଭାରେ ଅସୁବିଧା ହେଉଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି। ଫ୍ୟାକ୍ଟ୍ରିର ଦ୍ବତୀୟ ମହାଲାରେ କତା ତିଆରି ସାମଗ୍ରୀ ରହିଥିବା କାରଣରୁ ପ୍ରବଳ ମାତ୍ରାରେ ନିଆଁ ଜଳୁଛି। ଆବଶ୍ୟକ ହେଲେ ଘରର କାନ୍ଥ ଭଙ୍ଗିବାକୁ ପଡିବ ବୋଲି ଡେପୁଟି ଫାଆର ଅଫିସର ଶ୍ରୀ ପଣ୍ଡା କହିଛନ୍ତି। ନିଆଁ ଲିଭା କାର୍ୟ୍ୟ ଜାରି ରହିଥିଲେ ବେଳେ ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରିରେ ଥିବା ୩୦ ଲକ୍ଷରୁ ଊଦ୍ଧ୍ୱର୍ ମୂଲ୍ୟର କତା ପାରୁ, ପାପୋଛ, ରଶି, ଖରିକା ସମେତ ୧୫ ଲକ୍ଷରୁ ଊଦ୍ଧ୍ୱର୍ ମୂଲ୍ୟର ଯନ୍ତ୍ରାଶ ଜଳିଯାଇଥିବା ଦୁଇଟି ଫ୍ୟାକ୍ଟ୍ରିର ମାଲିକ ଜ୍ୟୋତି ରଞ୍ଜନ ପ୍ରାତ୍ର ଓ ବିରେନ୍ଦ୍ର ମୋହନ ପାତ୍ର ସୂଚନା ଦେଇଛନ୍ତି।