କ୍ଳିନିକରେ ଡ଼ାକ୍ତରଙ୍କୁ ଗୁଳିମାଡ଼: ୨ ଗୁରୁତର

ଖୋର୍ଦ୍ଧା,ଏନ୍ଏନ୍ଏସ୍: କ୍ଳିନିକ୍ ରେ ରୋଗୀ ଦେଖୁଥିବା ବେଳେ ଡ଼ାକ୍ତରଙ୍କୁ ଗୁଳିମାଡ଼ । ଏଥିରେ ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାସ ଗୁରୁତର ହୋଇଛନ୍ତି । ଗୁଳି ମାଡରେ ଔଷଧ ଦୋକାନର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଆଜି ଏଭଳି ଏକ ଗୁଳିକାଣ୍ଡ ଘଟିଯାଇଛି ଖୋର୍ଦ୍ଧା ସହରରେ ।

ଆଜି ଏକ ଔଷଧ ଦୋକାନରେ ଥିବା କ୍ଲିନିକ୍ ରେ ରୋଗୀ ଦେଖୁଥିବା ବେଳେ ଦୁଇ ଜଣ ଦୁର୍ବୃତ କ୍ଲିନିକ୍ ରେ ପହଂଚି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ତାଙ୍କ ପେଟରେ ବାଜିଥିଲା । ଏହି ଗୁଳିମାଡ ବେଳେ ଔଷଧ ଦୋକାନର ଜଣେ କର୍ମଚାରୀ ସାମ୍ନାକୁ ଆସିବାରୁ ଦୁର୍ବୃତ ମାନେ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ । ଏଭଳି ହିଂସାକାଣ୍ଡ ଭିଆଇବା ପରେ ସେମାନେ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଖବର ପାଇ ଖୋର୍ଦ୍ଧା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ସେଠାରେ ପହଂଚି ତଦନ୍ତ ଚଳାଇଛନ୍ତି ।