ବାଲେଶ୍ୱରରେ ଫୁଟିଲା ଗୁଳି, ଜଣେ ଆହତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଫକୀର ମୋହନ ମେଡିକାଲ୍ କଲେଜ ସମ୍ମୁଖ ରାସ୍ତାର ଏକ ହୋଟେଲରେ ବସିଥିବା ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳିଟି ଯୁବକଙ୍କ ଡାହାଣ କହୁଣୀରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର କଟକ ମଡ଼ ମେଡିକାଲ ନିଆଯାଇଛି। ଗୁଳିମାଡ଼ରେ ଆହତ ଯୁବକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ରଘୁନାଥ ସାହୁଙ୍କ ପୁଅ ସମ୍ଭବ ସାହୁ (୨୮)।

ସୂଚନା ଅନୁସାରେ ଶନିବାର ରାତି ପାଖାପାଖି ୯ରୁ ସାଢ଼େ ୯ଟା ସମୟରେ ସମ୍ଭବ ମେଡିକାଲ୍ କଲେଜ ରାସ୍ତା ନିକଟରେ ଥିବା ତାଙ୍କ ମାମୁଙ୍କ ହୋଟେଲରେ ବସିଥିଲେ। ଏହି ସମୟରେ ଏକ ବାଇକ୍ରେ ୨ରୁ ୩ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ତାଙ୍କ ଡାହାଣ କହୁଣୀରେ ବାଜିଥିଲା। ତାଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିମାଡ଼ର କାରଣ ଜଣାପଡ଼ି ନାହିଁ। ସମ୍ଭବ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଛନ୍ତି। ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଆଜି ରାତିରେ ସେମାନଙ୍କୁ ଗିରଫ କରାଯିବାର ଯୋଜନା ରହିଛି ବୋଲି ଶିଳ୍ପାଞ୍ଚଳ ଥାନାଧିକାରୀ ଜୟନ୍ତ ବେହେରା କହିଛନ୍ତି।