ଗୁଳି କରି ମହିଳାଙ୍କୁ ହତ୍ୟା : ଅଭିଯୁକ୍ତ ଗିରଫ, ୨ ବନ୍ଧୁକ ୮ ଗୁଳି ଜବତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ସାରସମାଲ ରୋହିଦାସ ପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୋପାଳ ୟାଦବ ନାମକ ଜଣେ ବ୍ୟକ୍ତି ସାନନ୍ଦ ରୋହିଦାସଙ୍କ ପତ୍ନି କନକଲତା ରୋହିଦାସ (୩୫)ଙ୍କୁ ଗୁଳି ମାରି ଫେରାର ହୋଇଯାଇଥିଲା। ଘଟଣା ବିଷୟରେ ଖବର ପାଇ ପୁଲିସ ବୁଧବାର ସକାଳେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା। ବହୁ ସମୟର ତନାଘନା ପରେ ଅଭିଯୁକ୍ତ ଗୋପାଳକୁ ସୁନ୍ଦରଗଡରୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ଗୋପାଳଠାରୁ ପୁଲିସ ୨ଟି ବନ୍ଧୁକ, ୮ଟି ଗୁଳି ଓ ୨ଟି ମୋବାଇଳ ଫୋନ ଜବତ କରିଛି। ଅଭିଯୁକ୍ତ ଜଣକ ଜମସେଦପୁର ନିବାସୀ ହୋଇଥିବା ବେଳେ ଦୀର୍ଘ ଦିନରୁ ସମ୍ବଲପୁରରେ ପରିବା ବେପାର କରୁଥିଲା ବୋଲି ଜଣା ପଡିଛି।

ପ୍ରକାଶଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଘରେ ସମସ୍ତେ ଶୋଇଥିଲା ବେଳେ କନକଲତା ଘରୁ ବାରିପଟେ ବାହାରିଥିଲେ। ସେଠାରେ ଗୋପାଳ ତାଙ୍କ ଛାତିରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କନକଲତାଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ ତାଙ୍କଙ୍କ ରକ୍ତ ଜୁଡୁବୁଡୁ ଶରୀର ବାରିପଟେ ପଡିଥିବା ପରିବାର ଲୋକେ ଦେଖିି ମୃତ ଦେହକୁ ଘର ଭିତରକୁ ଆଣି ପୁଲିସକୁ ଖବର ଦେଇଥିଲେ।

ଝାରସୁଗୁଡା ଏସଡିପିଓ କୈଳାସ ଆଚାର୍ଯ୍ୟ, ଟାଉନ ଥାନା ଆଇଆଇସି ସାବିତ୍ରୀ ବଳ, ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିବାସହ ମୃତ ଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିିଲେ। ଏହାସହ ଉତ୍ତାରଂଚଳ ଡିଆଇଜି ହିମାଂଶୁ ଲାଲ ଘଟଣାସ୍ଥଳକୁ ପହଂଚି ସ୍ଥିତି ଅନୁଧ୍ୟାନ କରିବାସହ ତାଙ୍କ ନେତ୍ୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲେ। ଅଭିଯୁକ୍ତର ଗିରଫ ପରେ ସେ କାହିଁକି କନକଲତାଙ୍କୁ ହତ୍ୟା କରିଛି ସେ ବିଷୟରେ ଜାଣିବା ପାଇଁ ପଚରାଉଚୁରା ଚାଲିଛି ବୋଲି ଉତ୍ତରାଂଚଳ ଡିଆଇଜି ହିମାଂଶୁଲାଲ ସୂଚନା ଦେଇଛନ୍ତି।