ଚୀନ କାରଖାନାରେ ଅଗ୍ନିକାଣ୍ଡ, ୧୯ ମୃତ

ବେଜିଂ, ଏଜେନ୍ସି : ଚୀନର ପୂର୍ବାଞ୍ଚଳରେ ଅବସ୍ଥିତ ଶିଳ୍ପାଞ୍ଚଳରେ ପ୍ରତିଷ୍ଠିତ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୧୯ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ବୋଲି ସୋମବାର ପ୍ରାଦେଶିକ ସରକାର ସ୍ପଷ୍ଟ କରିଛନ୍ତି। ଚୀନର ଝେଜିୟାଙ୍ଗ ରାଜ୍ୟର ନିଙ୍ଘାଇ କାଉଣ୍ଟିସ୍ଥିତ ଏକ କାରଖାନାରେ ଅକସ୍ମାତ ନିଅାଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି। ନିଆଁ କବଳରୁ ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସାଂଘାତିକ ଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ଜିଆଙ୍ଗସୁ ରାଜ୍ୟରେ ଗୋଟିଏ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩୬ ଜଣ ପ୍ରାଣ ହରାଇଥିଲେ। ମଙ୍ଗଳବାର ଚୀନରେ ମହାଆଡ଼ମ୍ବରରେ କମ୍ୟୁନିଷ୍ଟ ଶାସନର ୭୦ତମ ପୂର୍ତ୍ତି ପାଳନ କରାଯିବ। ଚୀନ କାରଖାନାଗୁଡ଼ିକରେ ଶ୍ରମିକଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନଥିବାରୁ ଦୁର୍ଘଟଣା ଦେହସୁହା ହୋଇଗଲାଣି। ଗତ ମାର୍ଚ୍ଚରେ ଜିଆଙ୍ଗସୁ ରାଜ୍ୟରେ ପ୍ରତିଷ୍ଠିତ ଗୋଟିଏ ରସାୟନ କାରଖାନାରେ ବିସ୍ଫୋରଣ ଘଟିବା ଫଳରେ ୭୮ ଜଣ ପ୍ରାଣ ହରାଇବା ସହ ଶତାଧିକ ଆହତ ହୋଇଥିଲେ।