ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲାର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡ଼ିରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏଥିରେ ଗାଡ଼ିଟି ସମ୍ପୁର୍ଣ୍ଣ ପୋଡ଼ି ଯାଇଛି। ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତ୍ରିରେ ନନ୍ଦିରା-ଭରତପୁର ଠାରେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ୟ୍ୟାଳୟରେ ଥିବା ତାଙ୍କର ଫରଚ୍ୟୁନ୍ ଗାଡ଼ିକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କର୍ମଚାରୀମାନେ ନିଆଁ ଲାଗିଥିବା ଦେଖି ଏହାକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ପରେ ବିଧାୟକ ଶ୍ରୀ ପ୍ରଧାନ ସେଠାରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୧୯ ତାରିଖରେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଥିବା ଦୁଇଟି କାର ଏବଂ ମୋଟର ସାଇକେଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଗତ ନଭେମ୍ବର ୧ ତାରିଖରେ ବି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ହାଣ୍ଡିଧୁଆସ୍ଥିତ ପୈତୃକ ଗ୍ରାମରେ ଅନୁରୂପ ଉଦ୍ୟମ ହୋଇଥିଲା। ଏହା ତାଙ୍କ ସହ ରାଜନୈତିକ ବା ବ୍ୟାବସାୟିକ ଶତ୍ରୁତା ଯୋଗୁଁ ଘଟିଥିବାର ସନ୍ଦେହ କରାଯାଉଛି।