ଡାକ୍ତରଖାନାରେ ନିଆଁ ଲାଗି ମାସକର ଶିଶୁ ମୃତ, ଅନ୍ୟ ୫ଜଣ ଆହତ

ହାଇଦ୍ରାବାଦ,ଏଜେନ୍ସି: ହାଇଦ୍ରାବାଦ ସହର ଉପକଣ୍ଠରେ ଥିବା ଏକ ଘରୋଇ ଶିଶୁ ଡାକ୍ତରଖାନାର ଇଣ୍ଟେନସିଭ୍‌ କେୟାର୍‌ ୟୁନିଟ୍‌ରେ ରବିବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଗୋଟାଏ ମାସକର ଛୁଆର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଶିଶୁ ଆହତ ଥିବା ଜଣାଯାଇଛି।

ରବିବାର ରାତି ପ୍ରାୟ ୨ଟା ୩୦ରେ ଏଲ୍‌ବି ନଗର ଅଞ୍ଚଳରେ ଥିବା ସାଇନ୍‌ ଚିଲିଡ୍ରେନ୍‌ ହସ୍‌ପିଟାଲର ଆଇସିୟୁରେ ନିଆଁ ଲାଗି ଯାଇଥିଲା ବୋଲି ପୁଲିସ କହିଛି। ଚିକିତ୍ସାଧୀନ ଅସୁସ୍ଥ ଛୁଆମାନଙ୍କୁ ରକ୍ଷା କରିବାକୁ ଡାକ୍ତରଖାନାର କର୍ମଚାରୀମାନେ ତୁରନ୍ତ ଦୁଆର ଓ ଝରକା ସବୁ ଭାଙ୍ଗି ଖୋଲି ପକାଇଥିଲେ। ନିଆଁରେ ପୋଡ଼ିଯାଇଥିବା ଛଅଜଣ ଛୁଆଙ୍କୁ ତୁରନ୍ତ ନିକଟରେ ଥିବା ଅନ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଜଣେ ଛୁଆର ମୃତ୍ୟୁ ଘଟିଲା।

ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।