କପଡ଼ା ଗୋଦାମରେ ଅଗ୍ନିକାଣ୍ଡ, ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ସହରର ଏକ କପଡ଼ା ଗୋଦାମରେ ନିଆଁ ଲାଗି ୭ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ମଙ୍ଗଳା  ଭବନ ନିକଟରେ ଥିବା କପଡ଼ା ଦୋକାନର ଗୋଦାମ ଘରେ ନିଆଁ ଲାଗିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ପରେ ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏଥିରେ କପଡ଼ା ଦୋକାନର ବ୍ୟାପକ କ୍ଷତି ହୋଇଛି । ପ୍ରାୟ ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଯାଇଥିବା କୁହାଯାଉଛି। ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି । ତେବେ ଏତେବଡ଼ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।