ଆସାମ ବାଗଜାନର ତୈଳକୂପରେ ଭୀଷଣ ଅଗ୍ନିକାଣ୍ଡ: ୨ ମୃତ

ଆସାମ: ଆସାମର ତିନସୁକିଆ ଜିଲ୍ଲାସ୍ଥିତ ବାଗଜାନରେ ଥିବା ଅଏଲ ଇଣ୍ଡିଆ ଲିମିଟେଡର ତୈଳକୂପରେ ନିଆଁ ଲାଗି ୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇଟି ଶବକୁ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଛି। ବାୟୁସେନା ଓ ଏନଡିଆରଏଫ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତୈଳକୂପରୁ ବାହାରୁଥିବା ନିଆଁକୁ ଆୟତ କରାଯାଇ ପାରିନାହିଁ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଡିବ୍ରୁ ସାଇଖୋବା ରାଷ୍ଟ୍ରୀୟ ଉଦ୍ୟାନ ପାଖରେ ଥିବା ଏହି ତୈଳକୂପରେ ଗତକାଲି ଦ୍ୱିପ୍ରହରରେ ବିସ୍ଫୋରଣ ଘଟିଥିଲା ଯାହାକି ପରେ ଆଖପାଖ ଅଂଚଳକୁ ବ୍ୟାପି ଯାଇଥିଲା।

ଅଏଲ ଇଣ୍ଡିଆର ତୈଳକୂପରେ ଏତେ ଭୀଷଣ ମାତ୍ରାରେ ନିଆଁ ଲାଗିଛି କି ଯାହାକୁ ୩୦ କିମି ଦୂରରୁ ମଧ୍ୟ ଦେଖାଯାଇପାରିବ। ଅଏଲ ଇଣ୍ଡିଆର ଅଧିକାରୀଙ୍କ କହିବା ମୁତାବକ, ଏହି ନିଆଁକୁ କାବୁ କରିବା ପାଇଁ ପ୍ରାୟ ୪ ସପ୍ତାହ ଲାଗିଯିବ। ଏଥିସହିତ ନିଆଁ ଲିଭାରେ ନିୟୋଜିତ ଥିବା ଅଏନଜିସିର ଜଣେ ଦମକଳ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନୋୱାଲ ଘଟଣା ସମ୍ବନ୍ଧରେ ଗୃହମନ୍ତ୍ରୀ ଅମିିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଫୋନ ଯୋଗେ କଥା ହୋଇ ନିଆଁ ଲିଭାଇବା ପାଇଁ ତତ୍କାଳ ସାହାଯ୍ୟ ମାଗିଛନ୍ତି। ସୋନାବାଲାଙ୍କୁ କେନ୍ଦ୍ର ତରଫରୁ ଯଥାସମ୍ଭବ ସହଯୋଗ କରାଯିବାର ଆଶ୍ୱାସନା ଦିଆଯାଇଛି।