ଡ୍ୟାନ୍ସବାରକୁ ଛଟକା, ରଦ୍ଦ ହେଲା ଫାୟାରସେଫ୍ଟି ଏନ୍ଓସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ଡ୍ୟାନ୍ସବାରକୁ ପୁଣି ଏକ ଝଟକା ଲାଗିଛି। ଫାୟାରସେଫ୍ଟି ଏନଓସିକୁ ରଦ୍ଦ କରାଯାଇଛି। ଫାୟାରସେଫ୍ଟି ଏନଓସିରେ ତ୍ରୁଟି ଥିବାରୁ ପୁଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ରଦ୍ଦ କରିଦେଇଛନ୍ତି। ତେବେ ତ୍ରୁଟିପୂର୍ଣ୍ଣ ଏନଓସି କିଏ ଓ କାହିଁକି ଦେଇଥିଲା, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ବେଳେ ଦୋଷୀ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଡିଜି ଶ୍ରୀ ଶର୍ମା କହିଛନ୍ତି।

ସୂଚନା ଅନୁସାରେ, ୨୦୧୮ ଫେବୃଆରୀ ୬ ତାରିଖରେ ଡ୍ୟାନ୍ସବାରକୁ ଫାୟରସେଫ୍ଟି ଏନଓସି ପ୍ରଦାନ କରାଯାଇଥିଲା। ତତକାଳନ ସହକାରୀ ଅଗ୍ନିଶମ ଅଧିକାରୀ ଏହି ଏନଓସି ପ୍ରଦାନ କରିଥିଲେ। ହେଲେ ସେଥିରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି। ଏନଓସିରେ ତ୍ରୁଟି ରହିଲା ନା ରଖାଗଲା, ସେ ନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ତେବେ ନୂଆ ଫାୟାରସେଫ୍ଟି ଏନଓସି ନମିଳିବା ପର୍ଯ୍ୟନ୍ତ ବିନା ଫାୟାର ସେଫ୍ଟିରେ ଡ୍ୟାନ୍ସବାର ଚଳାଇବା ବେଆଇନ ବୋଲି ପୁଲିସ କହିଛି। ତେଣୁ ପୂଜା ପୂର୍ବରୁ ଡ୍ୟାନ୍ସବାରକୁ ପୁଣି ଏକ ବଡ ଝଟକା ଲାଗିଛି।

ଉଲ୍ଲେଖଥାଉ କି, ଗତମାସ ୨୩ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀର ୭ଟି ଡ୍ୟାନ୍ସବାରକୁ ଅନୁମତି ମିଳିଥିଲା। ହେଲେ ଏହି ବାରଗୁଡିକରେ ନାଚୁଥିବା ଝିଅଙ୍କ ସୁରକ୍ଷା ନିମନ୍ତେ ଏକ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ବାରରେ ନିୟୋଜିତ ଯୁବତୀଙ୍କ ପୋଷାକ ପରିଧାନ ଉପରେ କଟକଣା ଲଗାଯାଇଛି।

ଝିଅମାନେ କୌଣସି ଉତ୍ତେଜକ ପୋଷାକ ପିନ୍ଧି ପାରିବେନାହିଁ। ବାରରେ ନିୟୋଜିତ ଯୁବତୀଙ୍କ ବୟସ ୨୧ବର୍ଷରୁ ଅଧିକ ହେବା ଆବଶ୍ୟକ। ଏଥିସହିତ ବାରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏଭଳି କେତେକ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ଏହାର ଉଲ୍ଲଂଘନ କଲେ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହ ଲାଇସେନ୍ସକୁ ରଦ୍ଦ କରି ଦିଆଯିବ ବୋଲି କଡା ନିୟମ ମଧ୍ୟ ରହିଛି।