ନାଟକରେ ବାଣ ଫୁଟି ୮ ଗୁରୁତର

ଗଞ୍ଜାମ,ଏନ୍ଏନ୍ଏସ୍: ମହାଭାରତ ନାଟକରେ ଘଟିଲା ଅଘଟଣ। ମହାଭାରତ ଯୁଦ୍ଧ ସମୟରେ ବାଣ ଫୁଟି ୮ ଜଣ ଆହତ ହୋଇଛନ୍ତି। ଦୋଳପୂର୍ଣ୍ଣିମା ଉପଲକ୍ଷେ ଚାଲିଥିବା ନାଚରେ ବାଣ ଫୁଟି ୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଗୁରୁତରମାନଙ୍କୁ ପ୍ରଥମେ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ, ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏପରି ଅଭାନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁରରେ। କେ. ରାମଚନ୍ଦ୍ରପୁରରେ ଦୋଳପୂର୍ଣମା ଉପଲକ୍ଷେ ଚାକୁଣ୍ଡ ମହାଭାରତ ହେଉଥିଲା। ନାଟକର ଏକ ଦୃଶ୍ୟରେ ବାଣ ଫୁଟାଯିବାର ଦୃଶ୍ୟ ଥିଲା। ଏହି ବାଣ ଫୁଟାଇବା ବେଳେ ଏଥିରେ କୌଣସି ଅବହେଳା ହେବାରୁ ଏହା ବିସ୍ଫୋରଣ କରିଥିଲା। ଫଳରେ ୮ଜଣ ଲୋକ ଆହତ ହୋଇଥିଲେ।

ସେମାନଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି। ଏହି ଘଟଣା ପରେ ଯାତ୍ରା ବନ୍ଦ ହୋଇଯାଇଥିଲା। ଜୀବନ ବିକଳରେ ଲୋକେ ସ୍ଥାନ ଛାଡ଼ି ପଳାଇଯାଇଥିଲେ। ସେହିପରି ଏହି ଧାଁ ଦୌଡ଼ ସମୟରେ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି। ରାଧାକୃଷ୍ଣ ଯୁବ ନାଟ୍ୟ ସଂସଦ ପକ୍ଷରୁ ଚାଲିଥିବା ଯାତ୍ରାସ୍ଥଳରେ କିଛି ସମୟ ପାଇଁ କ୍ରନ୍ଦନରୋଳ ସୃଷ୍ଟି ହୋଇଥିଲା। ବାଣର ପ୍ରକୋପ ଏତେ ଥିଲା ଯେ ନିକଟରେ ଥିବା ସମସ୍ତ ଜିନିଷ ଛିନ୍ନିଛତ୍ର ହୋଇପଡିଥିଲା । ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।