ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ସ୍ଥିତ ନାଲକୋ ନଗରର ସିପିପି ପ୍ଲାଣ୍ଟ ପରିସର ଶୁକ୍ରବାର ପୂର୍ବାହ୍ଣରେ ୫ନଂ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ସର୍ଟସର୍କିଟ ଯୋଗୁଁ ୫ନଂ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି।

ସେହିପରି ଅନ୍ୟଗୁଡ଼ିକ ଆଂଶିକ କ୍ଷତି ହୋଇଥିବା ସୂଚନା ଜଣାଯାଇଛି। ଉକ୍ତ ୫ନଂ ୟୁନିଟରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଉଚିତ ସମୟରେ ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି। ସକାଳ ୮ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏ ନେଇ କର୍ମଚାରୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ନାଲକୋ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏ ନେଇ ନାଲକୋ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।