ନାଗପୁର କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ

ନାଗପୁର,ଏଜେନ୍ସି: ମହାରାଷ୍ଟ୍ରର ନାଗପୁରରେ ଥିବା ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ୪ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲର ଦ୍ୱିତୀୟ ମହଲାରେ ଥିବା ଆଇସିୟୁର ଏସି ୟୁନିଟରେ ପ୍ରଥମେ ନିଆଁ ଲାଗିବାପରେ ଏହା ଅନ୍ୟ ପ୍ରକୋଷ୍ଠକୁ ବ୍ୟାପିଯାଇଥିଲା। ଏକାଧିକ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲାଗିବା ସମୟରେ ଉକ୍ତ ମହଲାରେ କେବଳ ୧୦ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରେ କେହି କୋଭିଡ୍ ଆକ୍ରାନ୍ତ ନଥିଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ୬ ଜଣ ରୋଗୀ ନିଜେ ବାହାରକୁ ଆସିଥିବାବେଳେ ଅନ୍ୟ ଚାରିଜଣଙ୍କୁ ଦମକଳବାହିନୀ ଉଦ୍ଧାର କରିଥିଲେ। ନାଗପୁର ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁଲିଭା କାର୍ଯ୍ୟ ତଦାରଖ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।