ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ରେମୁଣାଠାରେ ଥିବା ଇମାମି ପେପର ମିଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି। ସୂଚନା ମୁତାବକ ଆଜି ୧୧ଟାରେ ହଠାତ ଗୋଦାମରୁ ଧୂଆଁ ବାହାରିବାର କର୍ମଚାରୀ ମାନେ ଦେଖିବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଦମକଳ ବାହିନୀକୁ ଖବର ଦେବାରୁ ରେମୁଣା ଓ ବାଲେଶ୍ୱରରୁ ୫ଟି ଦମକଳ ଆସି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ୫ଟି ଦମକଳକୁ ନିଆଁକୁ ଆୟତ୍ତ କରିବା ପାଇଁ ଦୀର୍ଘ ୩ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ତେବେ କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ତାହା ବର୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ଏ ନେଇ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ କୁହାଯାଇ ପାରିବନି ବୋଲି ବାଲେଶ୍ୱର ଉପଜିଲ୍ଲାପାଳ ଓ ଇମାମି ପେପର ମିଲର ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।