ଗୁଜୁରାଟ ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ; ୮ ମୃତ

ଅହମ୍ମଦାବାଦ,ଏଜେନ୍ସି: ଗୁଜୁରାଟ ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏହା ସର୍ଟସର୍କିଟରୁ ହୋଇଥିବା କୁହାଯାଉଛି। ଆଜି ଭୋର ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୮ଟି ଅଗ୍ନିଶମ ଗାଡ଼ି ଓ ୧୦ଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡ଼ିଛି। ତେବେ ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ୮ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ତେବେ ସେମାନେ ସମସ୍ତେ ଉକ୍ତ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି ଥିଲେ।

ଦୁର୍ଘଟଣା ସମୟରେ ପାଖାପାଖି ୪୫ ରୋଗୀଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବଶିଷ୍ଟ ରୋଗୀଙ୍କୁ ଉଦ୍ଧାର କରାଯାଇ ସହରର ନାଗରିକ ଡାକ୍ତରଖାନା ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଅଗ୍ନିକାଣ୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ମେୟର ବିଜଲ ପଟେଲଙ୍କ ସହ କଥା ହୋଇଥିବା ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।